‘ୟୁଏଇ’ରେ ୩୩ କୋଟି ଟଙ୍କାର ଲଟେରି ଜିତିଲେ ରାଜୀବ ଅରିକ୍କଟ

ନୂଆଦିଲ୍ଲୀ: ଭାରତରୁ ଯାଇ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରେ ବସବାସ କରୁଥିବା ରାଜୀବ ଅରିକ୍କଟ୍‌ ସାପ୍ତହିକ ଲଟେରି ବିଗ୍‌-ଟିକେଟ୍‌ ଆବୁ ଧାବିରେ ୧୫ ନିୟୁତ ଦିରାମ୍‌ ବା ଭାରତୀୟ ମୁଦ୍ରାରେ ପ୍ରାୟ ୩୩ କୋଟି ଟଙ୍କା ଜିଣିଛନ୍ତି ବୋଲି ‘ଖଲୀଜ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।ରିପୋର୍ଟରେ ଉଲ୍ଲେଖ ଅଛି, ଏଥର ଲଟେରି ଜିତିବେ ବୋଲି ଅରିକ୍କଟ୍‌ଙ୍କର ବଡ଼ ଆଶା ଥିଲା। ତେଣୁ, ସେ ଏଥର ଉଠାଣ ପାଇଁ ସମୁଦାୟ ୬ଟି ଟିକେଟ୍‌ ଖରିଦ କରିଥିଲେ। କିନ୍ତୁ, ଜିତିବା ପରେ ଅରିକ୍କିଟ୍‌ ଖୁବ୍‌ ବିସ୍ମିତ ହୋଇଯାଇଥିଲେ। ନମ୍ବର ୦୩୭୧୩୦ ଟିକେଟ୍‌ଟି କମ୍ପ୍ଲିମେଣ୍ଟାରି ଟିକେଟ୍‌ ଥିବାରୁ ତାଙ୍କର ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଥିଲା।

ସୂଚନାଯୋଗ୍ୟ, ଭାରତର କେରଳରୁ ଯାଇଥିବା ରାଜୀବ ଅରିକ୍କଟ୍‌ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ର ଅଲ୍‌ ଆଇନ୍‌ ନଗରୀରେ ଥିବା ଏକ ‘ଆର୍କିଟେକ୍‌ଚୁରାଲ୍‌ ଫାର୍ମ’ରେ କାମ କରନ୍ତି। ଜାନୁଆରି ୧୦ ତାରିଖ ଦିନ ଲଟେରି ଟିକେଟ୍‌ କିଣିଥିବା ୪୦ ବର୍ଷିୟ ଅରିକ୍କଟ୍‌ ୧୦ ବର୍ଷରୁ ଅଧିକ ସମୟ ହେବ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରେ ସ୍ତ୍ରୀ, ୫ ଓ ୮ ବର୍ଷର ଦୁଇ ପୁଅଙ୍କ ସହିତ ରହୁଛନ୍ତି। ଗତ ୩ ବର୍ଷ ହେବ ସେ ‘ବିଗ୍‌ ଟିକେଟ୍‌ ଡ୍ର’ରେ ଅଂଶ ଗ୍ରହଣ କରି ଆସୁଛନ୍ତି।

Spread the love