ଖାରକିଭ ଛାଡନ୍ତୁ ଭାରତୀୟ : ଦୂତାବାସର

ଖାରକିଭ ୦୨।୦୩: ୟୁକ୍ରେନର ଖାରକିଭ ସହର ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ବୋମା ଏବଂ ମିସାଇଲ ମାଡରେ ସହରର ଅବସ୍ଥା ଦୟନୀୟ ହୋଇ ପଡିଛି। ଏହା ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଆଉ ଏକ ନୂତନ ଆଡଭାଇଜରି ଜାରି କରାଯାଇଛି। ଦୂତାବାସ ୟୁକ୍ରେନର ଦ୍ଵିତୀୟ ବଡ ସହର ଖାରକିଭକୁ ତୁରନ୍ତ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡିବାକୁ କୁହାଯାଇଛି।

ଆଡଭାଇଜରିରେ ଖାରକିଭ ଛାଡି ୩ଟି ସ୍ଥାନ ପେସୋଚିନ, ବାବାୟେ,  ବେଜଲୁଡୋକା ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଯେ କୌଣସି ପରିସ୍ଥିତିରେ ଆଜି ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ବସ୍ତିରେ ପହଞ୍ଚିବାକୁ କୁହାଯାଇଛି। ୟୁକ୍ରେନର ସମୟ ଭାରତୀୟ ସମୟଠୁ ସାଢେ ତିନି ଘଣ୍ଟା ଆଗରେ ରହିଛି। ଅର୍ଥାତ ଖାରକିଭ ସହର ଛାଡିବାକୁ ଭାରତୀୟଙ୍କ ପାଖରେ ସାଢେ ତିନି ଘଣ୍ଟାର ସମୟ ରହିଛି। ଆଡଭାଇଜରି ଜାରି ହେବା ପରେ ଖାରକିଭରେ ସିଟି କାଉନସିଲର କୋଠା ଉପରେ ଏକ କ୍ରୁଜ ମିସାଇଲ ମାଡ ହୋଇଛି।

ରୁଷ ଆକ୍ରମଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଭାରତ ଏହି ଆଡଭାଇଜରି ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଖାରକିଭରେ ସ୍ଥିତି ବହୁତ ଖରାପ ରହିଛି। ତେଣୁ ସେଠାରେ ଯେତେ ଭାରତୀୟ ଛାତ୍ର ଏବଂ ନାଗରିକ ଅଛନ୍ତି, ତୁରନ୍ତ ଖାରକିଭ ସହ ଛାଡି ଚାଲି ଯାଆନ୍ତୁ।

 ୟୁକ୍ରେନର ଦ୍ଵିତୀୟ ବଡ ସହର ଖାରକିଭରେ ରୁଷ ପକ୍ଷରୁ ବ୍ୟାପକ ମାତ୍ରାରେ ଆକ୍ରମଣ ଜାରି ରହିଛି। ଘନ ଘନ ବୋମା ଏବଂ ମିସାଇଲ୍ ମାଡ ଜାରି ରହୀଛି। ସହରର ମଧ୍ୟଭାଗରେ ଗୁଳିମାଡ କରାଯାଉଛି। ମିସାଇଲ ମାଡରେ ଅନେକ ସରକାରୀ କୋଠା ଧ୍ଵଂସ ହୋଇ ଯାଇଛି। ରୁଷ ସେନା ଖାରକିଭ ସହରକୁ ୭୫ ଭାଗ ଦଖଲ କରି ସାରିଥିବା କୁହାଯାଉଛି।

Spread the love