ବିଜୟରୁ ଭାରତର ବିଶ୍ବକପ୍ ଅଭିଯାନ: କୋହଲି-ରାହୁଲ ବଞ୍ଚାଇଦେଲେ
ଚେନ୍ନାଇ: ଚେନ୍ନାଇରେ ଚମକପ୍ରଦ ବିଜୟରୁ ଦୃଢ଼ ଆତ୍ମବିଶ୍ବାସ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍ରେ ରବିବାର ରୋହିତ ବାହିନୀ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ସ୍ପିନ୍ ଜାଲରେ ଫଶି କଙ୍ଗାରୁ ଦଳ ମାତ୍ର ୨୦୦ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଭାରତ ଏହାକୁ ୫୨ ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ହାସଲ କରିନେଇଛି। ତେବେ ଭାରତର ପଶ୍ଚାତଧାବନ ବିପର୍ଯ୍ୟୟ ଭରା ଥିଲା। ୨ ରନ୍ରେ ଓପନର୍ ଈଶାନ କିଶନ, ଅଧିନାୟକ ରୋହିତ ଶର୍ମା ଓ ଶ୍ରେୟସ୍ ଆୟର୍ଙ୍କ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ତେବେ ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଯୋଡ଼ି ଚତୁର୍ଥ ୱିକେଟ୍ରେ ୧୬୫ ରନ୍ ଯୋଡ଼ି ଭାରତର ବିଜୟକୁ ପକ୍କା କରିଥିଲେ। ଏହି ଦୁଇ ଜଣଙ୍କ ଦାୟିତ୍ବସମ୍ପନ୍ନ ଓ ଲଢ଼ୁଆ ବ୍ୟାଟିଂ ପାଇଁ ଶେଷରେ ଭାରତ ସହଜ ବିଜୟ ହାସଲ କରିଥିଲା।
ଫଳରେ ଚେନ୍ନାଇ ସହ ସମଗ୍ର ଦେଶରେ ଖୁସିର ଲହରି ଖେଳି ଯାଇଥିଲା। ମନ୍ଥର ପିଚ୍ରେ ୯୭* ରନ୍ର ମ୍ୟାଚ୍ ବିଜୟୀ ପାଳି ପାଇଁ ରାହୁଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଆୟୋଜକ ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ୧୧ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଦିଲ୍ଲୀରେ ଖେଳିବ। ଶୀର୍ଷ ୪ରୁ ପ୍ରଥମ ଥର ୩ ଶୂନ ଇଂଲଣ୍ଡରେ ଖେଳାଯାଇଥିବା ଗତ ବିଶ୍ବକପ୍ (୨୦୧୯)ରେ ୫ଟି ଶତକ ଅର୍ଜନ କରି ଚହଳ ସୃଷ୍ଟି କରିଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା। ରବିବାର କିନ୍ତୁ ତାଙ୍କ ବ୍ୟାଟ୍ ଆଦୌ ଚାଲି ନଥିଲା। କେବଳ ସେ ନୁହଁ, ଚେପକ୍ ପିଚ୍ରେ ଈଶାନ କିଶନ ଓ ଶ୍ରେୟସ୍ ଆୟର୍ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଖାତା ଖୋଲି ପାରି ନଥିଲେ। ଶୁବମନ୍ ଗିଲ୍ ଡେଙ୍ଗୁ ପୀଡ଼ିତ ହୋଇ ବାଦ୍ ପଡ଼ିବା ପରେ ଭାରତୀୟ ବ୍ୟାଟିଂ ସନ୍ତୁଳନ ଯେମିତି ପୂରା ବିଗିଡ଼ି ଯାଇଥିଲା।
ଓପନିଂକୁ ପଦୋନ୍ନତି ପାଇଥିବା ଈଶାନ କିଶନ ବେପରୁ୍ଆ ସଟ୍ ଖେଳି ମିଚେଲ୍ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ଜୋସ୍ ହାଜେଲଉଡ୍ ପ୍ରଥମେ ରୋହିତଙ୍କୁ ଏବଂ ପରେ ଶ୍ରେୟସ୍କୁ ଚକ୍ମା ଦେବା ପରେ ମାତ୍ର ୨ ରନ୍ରେ ୩ ୱିକେଟ୍ ହରାଇ ଭାରତ ଘୋର ସଙ୍କଟରେ ପଡ଼ିଥିଲା। ଈଶାନଙ୍କ ୱିକେଟ୍ର ସଅଳ ପତନ ପରେ ହାଜେଲ୍ଉଡ୍ଙ୍କ ସିଧା ବଲ୍ ରୋହିତଙ୍କ ପ୍ୟାଡ୍ରେ ବାଜିବା ପରେ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିବାରେ ଡେରି କରି ନଥିଲେ। ରୋହିତ ସଙ୍ଗେସଙ୍ଗେ ରିଭ୍ୟୁ ନେଇଥିଲେ ମଧ୍ୟ ବର୍ତ୍ତି ପାରି ନଥିଲେ। ଦଳ ୨ ରନ୍ରେ ୨ ୱିକେଟ୍ ହରାଇଥିଲା ବେଳେ ଆୟର ଆଶ୍ଚର୍ଯ୍ୟଜନକ ଭାବେ ହାଜେଲଉଡ୍ଙ୍କ ଅଫ୍ଷ୍ଟମ୍ପ୍ ବାହାରେ ଥିବା ଗୁଡ୍ ଲେନ୍ଥ ବଲ୍କୁ ଅତି ଖାମଖିଆଲି ଢଙ୍ଗରେ ଖେଳି ଡେଭିଡ୍ ୱାର୍ଣ୍ଣରଙ୍କ ହାତରେ ସର୍ଟ କଭରରେ ଧରାପଡ଼ିଥିଲେ। ଦିନିକିଆ କ୍ରିକେଟ୍ ଇତିହାସରେ ପ୍ରଥମ ଥର ଲାଗି ଭାରତର ଶୀର୍ଷ ୪ ବ୍ୟାଟର୍ଙ୍କ ମଧ୍ୟରୁ ୩ ଜଣ ଖାତା ଖୋଲି ପାରି ନଥିଲେ। ଭାରତର ପାୱାର ପ୍ଲେ’ ସ୍କୋର ୨୭/୩, ଦିନିକିଆରେ ତା’ର ଦ୍ବିତୀୟ ସର୍ବନିମ୍ନ ଥିଲା। ଅଷ୍ଟମ ଓଭରରେ ହାଜେଲଉଡ୍ଙ୍କ ବଲ୍ରେ ଅଷ୍ଟ୍ରେଲିଆକୁ କୋହଲି ଏକ ଭଲ ସୁଯୋଗ ଦେଇଥିଲେ। ହେଲେ ତାଙ୍କ ସହଜ କ୍ୟାଚ୍କୁ ମିଚେଲ ମାର୍ସ ହାତଛଡ଼ା କରିଥିଲେ। ସମ୍ଭବତଃ ସେହିଠାରେ ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍ ଖସି ଯାଇଥିଲା।
ଜମିଲା କୋହଲି-ରାହୁଲ ଯୋଡ଼ି
ଜୀବନ ଦାନ ପାଇବା ପରେ କୋହଲି ନିଜ ଏକାଗ୍ରତାକୁ ବଢ଼ାଇ ଅଷ୍ଟ୍ରେଲିଆକୁ ଆଉ କୌଣସି ସୁଯୋଗ ଦେଇ ନଥିଲେ। ପଞ୍ଚମ ସ୍ଥାନରେ ଖେଳିଥିବା କେଏଲ୍ ରାହୁଲ ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଚେପକ୍ର କଷ୍ଟକର ପିଚ୍ରେ କୌଶଳପୂର୍ଣ୍ଣ ବ୍ୟାଟିଂର ଅପୂର୍ବ ପରାକାଷ୍ଠା ଦେଖାଇ ଉଭୟ ଚତୁର୍ଥ ୱିକେଟ୍ରେ ୧୬୫ ରନ୍ ଯୋଡ଼ି ଭାରତ ବିଜୟକୁ ପକ୍କା କରି ନେଇଥିଲେ। ହାଜେଲଉଡ୍ଙ୍କ ତୃତୀୟ ଶିକାର ହୋଇ କୋହଲି ୧୫ ରନ୍ ପାଇଁ ୪୮ତମ ଶତକରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ରାହୁଲ ୯୭ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଛକା ମାରି ଭାରତ ବିଜୟରେ ମୁଣ୍ଡି ମାରିଥିବା ରାହୁଲ ବିଜୟ ଲକ୍ଷ୍ୟ ହାସଲ ହୋଇଯିବାରୁ ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଶ୍ରୀଲଙ୍କାର ଲସିଥ ମାଲିଙ୍ଗା (୨୫ ପାଳି)ଙ୍କୁ ଟପି ମିଚେଲ ଷ୍ଟାର୍କ (୧୯ ପାଳି) ବିଶ୍ବକପ୍ରେ ୫୦ ୱିକେଟ୍ ନେବାରେ ଦ୍ରୁତତମ ବୋଲର ହୋଇଥିଲେ। ଶ୍ରୀଲଙ୍କାର ଅନ୍ୟତମ ମହାନ ବୋଲର ମୁଥୟା ମୁରଲୀଧରନ୍ (୩୦ ପାଳି) ଏହି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛନ୍ତି।
ସ୍ପିନ୍ ଜାଲରେ ଫଶିଲେ କଙ୍ଗାରୁ
ରବିବାରର ଏହି ପ୍ରତୀକ୍ଷିତ ମୁକାବିଲା ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାଗ୍ୟ ଅଷ୍ଟ୍ରେଲିଆକୁ ସହାୟ ହୋଇଥିଲା। କଙ୍ଗାରୁ ଅଧିନାୟକ ପ୍ୟାଟ୍ କମିନ୍ସ ଗୁରୁତ୍ବପୂର୍ଣ୍ଣ ଟସ୍ ଜିତି ନେଇଥିଲେ। ବଡ଼ ସ୍କୋର କରି ଭାରତ ଉପରେ ଚାପ ପକାଇବା ଲକ୍ଷ୍ୟରେ ଆଶାଜନକ ଭାବେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ବି ନେଇଥିଲେ ସେ। ହେଲେ ଯଶପ୍ରୀତ ବୁମ୍ରା ଭିନ୍ନ ଯୋଜନା ରଖିଥିଲେ। ଆରମ୍ଭରୁ ଲାଇନ୍ ଲେନ୍ଥକୁ ସଜାଡ଼ି ତୃତୀୟ ଓଭରରେ ହିଁ ଅଷ୍ଟ୍ରେଲିଆକୁ ମିଚେଲ ମାର୍ସ (୦)ଙ୍କ ରୂପରେ ପ୍ରଥମ ଝଟ୍କା ଦେଇଥିଲେ ବୁମ୍ରା। କମ୍ ଉଚ୍ଚରେ ଆସିଥିବା ଆଉଟ୍ ସୁଇଂ ବଲ୍କୁ ଖେଳି ନପାରି ମାର୍ସ ସ୍ଲିପ୍ ଅଞ୍ଚଳକୁ କ୍ୟାଚ୍ ଦେବା ପରେ ବିରାଟ କୋହଲି କୌଣସି ତ୍ରୁଟି କରି ନଥିଲେ। କୋହଲି ନିଜ ବାମ ପଟକୁ ଡାଇଭ୍ ମାରି କ୍ୟାଚ୍ ପୂରଣ କରିବା ସହ ଅଷ୍ଟ୍ରେଲିଆ ମାତ୍ର ୫ ରନ୍ରେ ତା’ର ପ୍ରଥମ ୱିକେଟ୍ ହରାଇଥିଲା। ଏହା ପରେ ଦୁଇ ଅଭିଜ୍ଞ ତାରକା ଡେଭିଡ୍ ୱାର୍ଣ୍ଣର (୪୧) ଓ ଷ୍ଟିଭେନ୍ ସ୍ମିଥ୍ (୪୬) ଅଷ୍ଟ୍ରେଲିଆ ପାଳିକୁ ଅନେକାଂଶରେ ସଜାଡ଼ି ଦ୍ବିତୀୟ ୱିକେଟ୍ରେ ମହତ୍ବପୂର୍ଣ୍ଣ ୬୯ ରନ୍ ଯୋଡ଼ିଥିଲେ। ଭାରତର ଦୁଇ ବାମହାତୀ ସ୍ପିନର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜା ନିଜ ନିଜ ସ୍ପେଲ୍ ଆରମ୍ଭ କରିବା ପରେ କିନ୍ତୁ ଅଷ୍ଟ୍ରେଲିଆ ପାଳି ତାସ୍ ଘର ଭଳି ଭୁଶୁଡ଼ି ଯାଇଥିଲା।
କଚଟି ବୋଲର କୁଲଦୀପ ନିଜ ଯାଦୁ ଦେଖାଇ ୱାର୍ଣ୍ଣରଙ୍କୁ କଟ୍ ଆଣ୍ଡ୍ ବୋଲ୍ଡ କରିବା ପରେ କଙ୍ଗାରୁ ଦଳ ଭାରତର ସ୍ପିନ୍ ଚକ୍ରବ୍ୟୂହରେ ଫଶି ପରବର୍ତ୍ତୀ ୮ ୱିକେଟ୍ ମାତ୍ର ୧୨୫ ରନ୍ରେ ହରାଇଥିଲା। ଏହା ପୂର୍ବରୁ କେବଳ ୯ ରନ୍ ପାଇଁ ଅର୍ଦ୍ଧଶତକ ପୂରଣ କରିପାରି ନଥିବା ୱାର୍ଣ୍ଣର କିନ୍ତୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଏବି ଡି’ଭିଲିୟର୍ସଙ୍କୁ ଟପି ବିଶ୍ବକପ୍ର ଦ୍ରୁତତମ ୧,୦୦୦ ରନ୍ ହାସଲକାରୀ ହୋଇସାରିଥିଲେ। କୁଲଦୀପଙ୍କ ପରେ ଜାଦେଜା ସ୍ମିଥ୍ଙ୍କୁ ଅର୍ଦ୍ଧଶତକର ୪ ରନ୍ ପରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ସେହିଭଳି ଆଲେକ୍ସ କ୍ୟାରିଙ୍କୁ ଖାତା ଖୋଲିବାର ସୁଯୋଗ ଦେଇ ନଥିଲେ। ସ୍ପିନ୍କୁ ଭଲ ଖେଳିବାର ଦକ୍ଷତା ରଖୁଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ (୧୫)ଙ୍କୁ କୁଲଦୀପ ଚତୁରତାର ସହ କ୍ଲିନ୍ ବୋଲ୍ଡ କରିବା ଭାରତୀୟ ବୋଲିଂର ଅନ୍ୟତମ ମୁଖ୍ୟାଂଶ ଥିଲା। ଶେଷ ଆଡ଼କୁ ବୁମ୍ରାଙ୍କ ସହ ମହମ୍ମଦ ସିରାଜ ମଧ୍ୟ ଶାଣିତ ବୋଲିଂ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ପାଳି ୩ ବଲ୍ ପୂର୍ବରୁ (୪୯.୩ ଓଭର) ଶେଷ ହୋଇଯାଇଥିଲା। ସ୍ଥାନୀୟ ତାରକା ଅଶ୍ବିନ ପ୍ରତିପକ୍ଷ ଅଲ୍ରାଉଣ୍ଡର କ୍ୟାମେରନ୍ ଗ୍ରିନ୍ (୮)ଙ୍କ ରୂପରେ ଏକମାତ୍ର ସଫଳତା ପାଇଥିଲେ। ଭାରତୀୟ ସ୍ପିନର ୧୦ରୁ ୬ ୱିକେଟ୍ ବାଣ୍ଟି ଅଷ୍ଟ୍ରେଲିଆ ବିପର୍ଯ୍ୟୟର କାରଣ ହୋଇଥିଲେ।