ଇଣ୍ଡୋନେସିଆ କଟକଣା ଲଗାଇବା ପରେ ପାମ୍‌ ଅଏଲ୍‌ ଦାମ୍‌ ବଢ଼ିବା ନେଇ ଆଶଙ୍କା, ସକ୍ରିୟ ହେଲେଣି କଳାବଜାରୀ

ଭୁବନେଶ୍ୱର, ୨୮।୦୪: ପାମ ଅଏଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇବା ପରେ ଖାଇବା ତେଲ ବଜାରରେ ସଙ୍କଟ ଉପୁଜିବା ଆଶଙ୍କା ଦେଖା ଦେଲାଣି । ଖାଇବା ତେଲର ଅଭାବ ଦେଖି କଳାବଜାରୀ ସକ୍ରିୟ ହୋଇଗଲେଣି । ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପଦକ୍ଷେପ ନେଇଛି । ତେବେ ବିଦେଶରୁ ଖାଇବା ତେଲ ଆମଦାନୀ ଉପରୁ କେନ୍ଦ୍ର ସରକାର ଜିଏସ୍‌ଟି ଛାଡ କରିବା ପାଇଁ ଦାବି ଉଠିଛି ।

ଆଜିଠୁ ପାମ ଅଏଲ ଉପରେ ଇଣ୍ଡୋନେସିଆର କଟକଣା । ଭାରତୀୟ ଖାଦ୍ୟ ବଜାରରେ ବଢିଲା ସଂକଟ । ବିଶ୍ବର ପ୍ରମୁଖ ପାମ ଅଏଲ୍ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ, ନିଜ ଦେଶରେ ଖାଇବା ତେଲର ଚାହିଦା ବଢାଇବା ଲକ୍ଷ୍ୟରେ କଟକଣା ଲଗାଇଛି । ଏହା ଭାରତର ଚିନ୍ତା ବଢାଇଛି । ଦେଶରେ ପାମ୍‌ ଅଏଲ୍ ଦାମ ବଢିବା ଆଶଙ୍କା ବଢିଯାଇଛି । ଭାରତ ତାର ଚାହିଦାର ୫୦ପ୍ରତିଶତ ପାମ ଅଏଲ୍ ଇଣ୍ଡୋନେସିଆରୁ ଆମଦାନୀ କରେ। ତେଣୁ ଅଚାନକ ଏହା ବନ୍ଦ ହୋଇଯିବା ପରେ ସ୍ଥିତି ଗମ୍ଭୀର ହୋଇପାରେ । ଓଡିଶାରେ ମଧ୍ୟ ତେଲର ଅଭାବ ସାଙ୍ଗକୁ ଦର ବଢିବା ଆଶଙ୍କା ରହିଛି ।  ଏହାକୁ ଆଖିରେ ରଖି ରାଜ୍ୟ ଯୋଗାଣ ବିଭାଗ ଗତକାଲି ଠାରୁ ଏକ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ।  ଗୋଦାମରେ କେବଳ ୫୦ ଟନ ପର୍ଯ୍ୟନ୍ତ ପାମ୍ ଅଏଲ୍ ସଂରକ୍ଷିତ ରହିପାରିବ । ଗୋଟିଏ ଟ୍ରକରେ କେବଳ ୩୦ ଟନ ତେଲ ଆସିପାରିବ ବୋଲି ଗାଇଡଲାଇନ ଜାରି କରାଯାଇଛି । ତେବେ ଏସବୁ ନିୟମ ଲାଗୁ କଲେ ତେଲ ଦର ବଢିବାର ଯଥେଷ୍ଟ ସମ୍ଭାବନା ରହିଥିବା ବ୍ୟବସାୟୀ ସଂଘ କହିଛି ।

ପାମୋଲିନ୍ ତେଲ ଅଭାବ ଦେଖି କିଛି ଅସାଧୁ ବ୍ୟବସାୟୀ କଳାବଜାରି ଆରମ୍ଭ କରି ଦେଲେଣି । ଏଥି ପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ । ବିଦେଶରୁ ଆମଦାନୀ ହେଉଥିବା ଖାଇବା ତେଲ ଭଳି ଅତ୍ୟାଆବଶ୍ୟକ ସାମଗ୍ରୀ ଉପରୁ କେନ୍ଦ୍ର ସରକାର ସେସ୍ ତଥା ଜିଏସ୍‌ଟି ଛାଡ କରିବା ନେଇ ମଧ୍ୟ ଦାବି କରିଛନ୍ତି ନିଜେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ସରକାର ଏବେ ଠାରୁ ତେଲ ବଜାରକୁ ନିୟନ୍ତ୍ରଣ ନକଲେ ଆଗକୁ ସ୍ଥିତି ଆହୁରି ବିଗିଡିପାରେ ।  ଖାଇବା ତେଲ ଦର ମଧ୍ୟ ହୁ ହୁ ହୋଇ ବଢିପାରେ । ପାମ୍ ଅଏଲ ଅଭାବ ଫଳରେ ବିସ୍କୁଟ ଏବଂ ପ୍ରସାଧନ ସାମଗ୍ରୀର ଦର ଉପରେ ପ୍ରଭାବ ପଡିବା ଡର ମଧ୍ୟ ରହିଛି ।

Spread the love