ସୋଆରେ ଆନ୍ତର୍ଜାତିକ ଯୋଗ ଦିବସ

ଭୁବନେଶ୍ୱର : ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଗତକାଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ପକ୍ଷରୁ  ‘କାଉଣ୍ଟ ଡାଉନ୍‌ ଟୁ ଆଇୱାଇଡି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ‘ଯୋଗ-ଏକ ପରିଚୟ’ ଉପରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଲେ, ଅନେକ ଦେଶ କେବଳ ଭୌତିକ ବିକାଶରେ ମନ ଦେବାରୁ ମଣିଷର ମାନସିକ ଓ ଆଧ୍ୟାତ୍ମିକ, ଏପରିକି ସାମାଜିକ ସତ୍ତା ମଧ୍ୟ ବହୁଳ ଭାବେ ଅବହେଳିତ ହୋଇଛି । ସକାଳୁ ଶଯ୍ୟା ତ୍ୟାଗ କରି ଯୋଗ ସାଧନା କଲେ ମନ ପ୍ରଫୁଲ୍ଲ ରହିବ । ଶରୀର ନିରୋଗ ରହିବ । ଜୀବନରେ ଶାନ୍ତି ଓ ସଫଳତା ବିରାଜମାନ ହେବ ।ଯୋଗ ଶିକ୍ଷକ ଅଖିଳ ଚନ୍ଦ୍ର ରଣା ବିଭିନ୍ନ ଯୋଗାସନ ଅଭ୍ୟାସ କରିବା ସହିତ ତିନୋଟି ପ୍ରାଣାୟମ ଯଥା କପାଳଭାତି, ଅନୁଲୋମ ବିଲୋମ୍‌ ଓ ଭ୍ରାମରୀ ଶିଖାଇ ଥିଲେ । ଚଳିତ ବର୍ଷରୁ ୫ଟି ଯୋଗ ପୁରସ୍କାର (ପ୍ରତ୍ୟେକ ୧୦୦୦ ଟଙ୍କା) ଦେବାକୁ ପ୍ରସ୍ତାବ ଦେଇଥିଲେ । ଯୋଗ ପ୍ରତିଯୋଗିତାର ପାଞ୍ଚ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସରେ ଏହି ପୁରସ୍କାର ଦେବାକୁ କହିଥିଲେ । ପ୍ରୋଗ୍ରାମ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟ ଆଉଟରିଚ୍‌ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ସଭିଙ୍କୁ ପ୍ରତିଦିନ ସକାଳ ୬ଟାରୁ ନିୟମିତ ଚାଲିଥିବା (ଏପ୍ରିଲ ୨୧ରୁ) ଆଭାସୀ ଯୋଗ ଶିବିରରେ ଭାଗ ନେବାକୁ କହିଥିଲେ । କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ ମହାନ୍ତ, ଡ. ଶାନ୍ତିଲତା ଚମ୍ପତି, ଡ. ସରୋଜ କୁମାର ମହାନ୍ତି, ଡ. ଚକ୍ରଧର ପାତ୍ର, ଡ. ଶୋଭନ ପଟ୍ଟନାୟକ, ପ୍ରାଚିନ୍‌ର ସଦସ୍ୟ ଜୀବନ କୁମାର ପଣ୍ଡା ଓ ଆଇଟିଆରର ୱାର୍ଡନ୍‌ ପ୍ରଫେସର ରଞ୍ଜନ ମଲ୍ଲିକଙ୍କ ସହିତ ଅନ୍ୟ ଅଧ୍ୟାପିକା ଓ ଅଧ୍ୟାପକ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର ପାଖାପାଖି ୧୫୦ ଏନଏସଏସ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Spread the love