IPL 2022: ଅହମ୍ମଦାବାଦ ପକ୍ଷରୁ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାନ ଓ ଶୁଭମାନ ଗିଲ୍

ନୂଆଦିଲ୍ଲୀ ୧୭।୦୧: ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାନ ଏବଂ ଶୁଭମାନ ଗିଲ୍‌ ଆଗାମୀ ଆଇପିଏଲ ସିଜିନ୍ ପାଇଁ ଅହମ୍ମଦାବାଦ ଫ୍ରାଞ୍ଚାଜଇି ପକ୍ଷରୁ ଖେଳିବେ। ଇଏସପିଏଲ କ୍ରିକଇନଫୋ ଅନୁଯାୟୀ, ଆଇପିଏଲର ନୂତନ ଫ୍ରାଞ୍ଚାଇଜି ଅହମ୍ମଦାବାଦ ନିଜର ତିନି ଖେଳାଳି ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାନ ଏବଂ ଶୁଭମାନ ଗିଲ୍‌ଙ୍କୁ ଆଇପିଏଲ ୨୦୨୨ ନିଲାମ ପୂର୍ବରୁ ଚୟନ କରିଛି। ସବୁଠୁ ରୋଚକ କଥା ଅହମ୍ମଦାବାଦ ହାର୍ଦ୍ଦିକ ଏବଂ ରଶିଦଙ୍କୁ ୧୫-୧୫ କୋଟି ଟଙ୍କାରେ  ଚୁକ୍ତି କରିଥିବା ବେଳେ ଶୁଭମାନ ଗିଲ୍‌ଙ୍କ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ କରିଛି।

ଅହମ୍ମଦାବାଦ ଫ୍ରାଞ୍ଚାଇଜି ନିଜର କୋଚିଂ ଷ୍ଟାଫଙ୍କୁ ମଧ୍ୟ ଚୂଡାନ୍ତ ରୂପ ଦେଇଛି। ଭାରତର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମାନ ତଥା ମୁଖ୍ୟ କୋଚ୍ ଗ୍ୟାରି କର୍ଷ୍ଟନ ଦଳର କୋଚିଂ ଷ୍ଟାଫର ନେତୃତ୍ଵ ନେବେ। ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ବିକ୍ରମ ସୋଲାଙ୍କି ଦଳର ନିର୍ଦ୍ଦେଶକ ରହିବେ।

ଆଇପିଏଲ ତିନି ଖେଳାଳିଙ୍କୁ ଚୟନ କରିବା ପାଇଁ ଫ୍ରାଞ୍ଚାଇଜି ପାଇଁ ୧୫ କୋଟି, ୧୧ କୋଟି ଏବଂ ୭ କୋଟି ନିର୍ଦ୍ଧାରିତ କରିଛି। ତେବେ ଅହମ୍ମଦାବାଦ ହାର୍ଦ୍ଦିକ ଏବଂ ରଶିଦଙ୍ଜକୁ ସମାନ ୧୫ କୋଟି ଦେବାକୁ ନିର୍ଣ୍ଣୟ ନେଇଛି। ଏଥିରୁ ଏହା ଜଣା ପଡୁଛି ଯେ, ହାର୍ଦ୍ଦିକ ଅହମ୍ମଦାବାଦର ଅଧିନାୟକ ଭାବେ କାର୍ଯ୍ୟଭାର ସମ୍ଭାଳିବାର ସମ୍ଭାବନା ରହିଛି। ତୃତୀୟ ଖେଳାଳି ଭାବେ ଶୁଭମାନ ଗିଲ୍‌ଙ୍କୁ ୭ କୋଟି ଟଙ୍କାରେ କିଣିଛି ଅହମ୍ମଦାବାଦ।

ପ୍ରଥମ ଥର ହାର୍ଦ୍ଦିକ ଏବଂ ରଶିଦ ଗୋଟିଏ ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବେ। ଦୁଇ ଖେଳାଳି ପୂର୍ବେ କ୍ରମଶଃ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ। ୨୦୧୫ରେ ମାତ୍ର ୧୦ ଲକ୍ଷ ଟଙ୍କାରେ ମୁମ୍ବାଇରେ ସାମିଲ୍ ହୋଇଥିବା ହାର୍ଦ୍ଦିକ ନିଜର ଦମଦାର ପ୍ରଦର୍ଶନ ବଳରେ ଆଇପିଏଲରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୧୮ ପର୍ଯ୍ୟନ୍ତ ସେ ନିଜକୁ ଭାରତର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବେ ସ୍ଥାପିତ କରିଥିଲେ। ମୁମ୍ବାଇ ସେହି ବର୍ଷ ୧୧ କୋଟି ଟଙ୍କା ଖର୍ଚ୍ଚ କରି ନିଜର ଦ୍ଵିତୀୟ ପସନ୍ଦର ଖେଳାଳି ଭାବେ ଦଳରେ ରଖିଥିଲା।

ରଶିଦ ଖାନ ଦୁଇ ନୂତନ ଫ୍ରାଞ୍ଚାଇଜି ଅହମ୍ମବାଦ ଓ ଲକ୍ଷ୍ନୌର ଡ୍ରାଫ୍ଟରେ ସାମିଲ୍ ଥିଲେ। ହେଲେ ଅହମ୍ମଦାବାଦ ରଶିଦ ଖାନଙ୍କୁ ତାଙ୍କର ପୂର୍ବ ଦରମା ୬ କୋଟି ଅଧିକ ଟଙ୍କା ଦେଇ ନିଜ ଦଳରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛି। ହାଇଦ୍ରାବାଦ ପକ୍ଷରୁ ଖେଳି ରଶିଦ ୯ କୋଟି ଦରମା ନେଉଥିଲେ।

Spread the love