IPL 2022: ନିଜ ଟିମ୍‌ର ନାଁ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ ୨୪।୦୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣରେ ୮ ପରିବର୍ତ୍ତେ ନଜର ଆସିବେ ୧୦ଟି ଦଳ। ଦୁଇଟି ନୂତନ ଦଳ ହେଉଛନ୍ତି ଲକ୍ଷ୍ନୌ ଏବଂ ଅହମ୍ମଦାବାଦ। ଏହା ମଧ୍ୟରେ ଲକ୍ଷ୍ନୌ ଫ୍ରାଞ୍ଚାଇଜି ସୋମବାର ଆନୁଷ୍ଠାନିକ ଭାବେ ନିଜ ଦଳର ନାମ ଘୋଷଣା କରିଛି। ଦଳର ନାମ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ରଖାଯାଇଛି। ଲକ୍ଷ୍ନୌ ଫ୍ରାଞ୍ଚାଇଜିର ମାଲିକ ନିଜର ପୁରୁଣା ଦଳ ରାଇଜିଂ ପୁଣେ ସୁପର ଜିଆଣ୍ଟ୍‌ସ ଦଳର ନାମ ଆଧାରରେ ନୂତନ ଦଳର ନାମ ଏପରି ରଖିଛି। ତେବେ ଏଥର ରାଇଜିଂ ଶବ୍ଦର  ବ୍ୟବହାର କରାଯାଇ ନାହିଁ।

ଲକ୍ଷ୍ନୌ ଫ୍ରାଞ୍ଚାଇଜି ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କୁ ନାମ ଦେବାକୁ ଅପିଲ୍ କରିଥିଲା। ଏହା ପରେ  ପରେ ଫ୍ରାଞ୍ଚାଇଜି ନୂତନ ନାମ ଘୋଷଣା କରିଛି। ଫ୍ରାଞ୍ଚାଇଜିର ମାଲିକ ଡ. ସଞ୍ଜୀବ ଗୋୟନିକା ଭିଡିଓ ବାର୍ତ୍ତାରେ କହିଛନ୍ତି,  ଆପଣମାନେ ନାମ ପ୍ରସ୍ତାବ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ। ଲକ୍ଷାଧିକ ଲୋକେ ନୂତନ ନାମକୁ ନେଇ ନିଜ ନିଜର ପ୍ରସ୍ତାବ ଦେଇଥିଲେ। ଯାହାରି ଆଧାରରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ଚୟନ କରାଯାଇଛି।କେଏଲ ରାହୁଲ ଦଳର ଅଧିନାୟକ ହେବେ। ତାଙ୍କୁ ଫ୍ରାଞ୍ଚାଇଜି ୧୭ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ଲକ୍ଷ୍ନୌ ଫ୍ରାଞ୍ଚାଇଜି ଏହା ପୂର୍ବରୁ ନିଜ ପସନ୍ଦର  ତିନି ଖେଳାଳିଙ୍କୁ ଦଳରେ ସାମିଲ୍ କରି ସାରିଛି। ଏଥିରେ ଅଛନ୍ତି ଦୁଇ ଭାରତୀୟ ଏବଂ ଜଣେ ବିଦେଶୀ ଖେଳାଳି। କେଏଲ ରାହୁଲଙ୍କ ସହିତ ଫ୍ରାଞ୍ଚାଇଜି ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଏବଂ ଭାରତ ତରଫରୁ ଅନ୍ତର୍ଜାତୀୟ ପଦାର୍ପଣ କରିନଥିବା ରବି ବିଶ୍ନୋଇଙ୍କୁ ଦଳରେ ସାମିଲ୍ କରିଛି। ଷ୍ଟୋଇନିସଙ୍କୁ ୯.୨ କୋଟି ଏବଂ ବିଶ୍ନୋଇଙ୍କୁ ଲକ୍ଷ୍ନୌ ୪ କୋଟି ଟଙ୍କାରେ କିଣିଛି।

Spread the love