ଆଜି ଆଇପିଏଲ ଗ୍ରାଣ୍ଡ ଫାଇନାଲ

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସଂସ୍କରଣର ଦୁଇ ଶ୍ରେଷ୍ଠ ଦଳ ଯଥା ଶ୍ରେୟସ ଆୟରଙ୍କ ପ୍ରଭାବୀ କୋଲକାତା ନାଇଟ ରାଇଡର୍ସ ଓ ପ୍ୟାଟ କମିନ୍ସଙ୍କ ବିସ୍ଫୋରଣ ସୃଷ୍ଟିକାରୀ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଚେନ୍ନଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ରବିବାର ଫାଇନାଲ ମୁକାବିଲା ହେବ। ଏହି ମୁକାବିଲା ଲାଗି ଉଭୟ ଦଳ ପ୍ରସ୍ତୁତ। ଜଣେ ଅନ୍ୟକୁ ପରାସ୍ତ କରିବାର ଦକ୍ଷତା ରଖିଛନ୍ତି। ଉଭୟ ଦଳ ସେମାନଙ୍କ ବିସ୍ଫୋରକ ବ୍ୟାଟିଂ ମାଧ୍ୟମରେ ଏହି ଆଇପିଏଲ୍‌ରେ ଚୌକା ଓ ଛକା ବର୍ଷା କରିବାରେ ସମର୍ଥ ହୋଇଛନ୍ତି। ଉଭୟ ଦଳରେ ଯେପରି ବିସ୍ଫୋରକ ଓପନର ରହିଛନ୍ତି, ସେହିପରି ଧୂଆଁଧାର ମିଡଲ ଅର୍ଡର ବ୍ୟାଟର ରହିଛନ୍ତି। ଏମାନେ ଗୋଟିଏ ମୁହୂର୍ତ୍ତରେ ଖେଳର ଗତିପଥ ବଦଳାଇଦେବାର ଦକ୍ଷତାର ଅଧିକାରୀ। ଉଭୟ ଦଳ ନିକଟରେ ଅସ୍ତ୍ର ଅଛି ଓ ଶସ୍ତ୍ର ରହିଛି। ଉଭୟଙ୍କ ରଣନୀତି ଆକ୍ରମଣାତ୍ମକ ଓ ବିଜୟ ଲାଗି ଉଦ୍ଦିଷ୍ଟ। ଏଣୁ ଚଳିତବର୍ଷର ଆଇପିଏଲ ଫାଇନାଲ ଯଥାର୍ଥରେ ସମାନ ଦକ୍ଷତା ବିଶିଷ୍ଟ ଦୁଇ ଦଳ ମଧ୍ୟରେ ଆୟୋଜିତ ହେଉଛି ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ଏଭଳି ଲଢେ଼ଇ ଯେ ଆଇପିଏଲ୍‌ର ଉପଯୁକ୍ତ ପରିସମାପ୍ତିକୁ ଖୋରାକ ଯୋଗାଇବ ବୋଲି କୁହାଯାଇପାରେ। ଦର୍ଶକ, ସମର୍ଥକ, ପ୍ରାୟୋଜକ, ଆୟୋଜକ ଓ ସହଯୋଗୀ ସମସ୍ତେ ଏହି ଗ୍ରାଣ୍ଡ ଫାଇନାଲକୁ ଉପଭୋଗ କରିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ରଣନୀତିକୁ ବିଶ୍ଲେଷଣ କଲେ ଉଭୟ ଦଳ ସମାନ ଯୋଜନା କରିଥିବା ଜଣାଯାଏ। ଉଭୟ ଦଳ ପାରମ୍ପରିକ ଟି-୨୦ ଫର୍ମାଟକୁ ପଛରେ ପକାଇ ଖେଳିଛନ୍ତି। ମନ ଇଛା ଏମାନେ ବଡ଼ ବଡ଼ ସ୍କୋର କରିଛନ୍ତି। ଚଳିତ ସଂସ୍କରଣରେ ହାଇଦ୍ରାବାଦ୍‌ ୬ଥର ୨୦୦ କିମ୍ବା ତା’ଠାରୁ ଅଧିକ ରନ୍‌ କରିଥିଲାବେଳେ ଏହା ମଧ୍ୟରୁ ୩ଥର ୨୫୦ ରନ୍‌ ଅତିକ୍ରମ କରିଛି। କୋଲକାତା ମଧ୍ୟ ପଛରେ ପଡ଼ି ନାହିଁ। ଏହି ଦଳ ମଧ୍ୟ ୬ଥର ୨୦୦ କିମ୍ବା ତା’ଠାରୁ ଅଧିକ ରନ୍‌ ସଂଗ୍ରହ କରିଛି। ଏବେ ପିଚ୍‌ ମନ୍ଥର ହୋଇଯାଇଥିଲେ ମଧ୍ୟ ଛକା ମାରିବାରେ ଉଭୟ ଦଳ ଯେପରି ନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତୀୟମାନ ହୋଇଛି। ଫାଇନାଲକୁ ଆସିବା ପୂର୍ବରୁ ହାଇଦ୍ରାବାଦ୍‌ ୧୭୫ଟି ଓ କୋଲକାତା ୧୩୫ଟି ଛକା ମାରିଛି। ଉଭୟ ଦଳ ଅଧିକ ରନ୍‌ ସଂଗ୍ରହ କରିବା ଲକ୍ଷ୍ୟରେ ରହିଛନ୍ତି। ପ୍ରଥମେ ବ୍ୟାଟିଂ ଲାଗି ହାଇଦ୍ରାବାଦ୍‌ ଓ ରନ୍‌ଚେଜ୍‌ କରିବାକୁ କୋଲକାତାର ପସନ୍ଦ। ଉଭୟ ଦଳ ଏଥିରେ ସଫଳ ହୋଇଛନ୍ତି।

Spread the love