ଆମେରିକାର ଧମକ ପରେ ପଛକୁ ହଟିଲା ଇରାନ କାହାକୁ ମୃତ୍ୟୁଦଣ୍ଡ ଦିଆ ଯାଉନି: ଇରାନ ବିଦେଶ ମନ୍ତ୍ରୀ
ୱାଶିଂଟନ/ ତେହେରାନ : ଆମେରିକା ରାଷ୍ଟ୍ରପତ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ତଥା ଫାଶୀ ଦେବାର ନିଷ୍ପତ୍ତିରୁ ଓହରିଛି । ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ବୁଧବାର କହିଛନ୍ତି ଯେ, ଇରାନରେ କୌଣସି ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବାର ଯୋଜନା ନାହିଁ । ସେପଟେ ଟ୍ରମ୍ପ କହିଛନ୍ତି ଯେ, ଇରାନରେ ପ୍ରଦର୍ଶନକାରୀଙ୍କ ହତ୍ୟା ବନ୍ଦ ହୋଇଛି । ପୂର୍ବରୁ ଇରାନ ସରକାର ଆନ୍ଦୋଳନକାରୀଙ୍କ ଦ୍ରୁତ ବିଚାର ଓ ଶୀଘ୍ର ମୃତ୍ୟୁଦଣ୍ଡ ଦେବାକୁ ଘୋଷଣା କରିଥିଲା । ବୁଧବାର ଇରାନ ୨୬ ବର୍ଷୀୟ ବିକ୍ଷୋଭକାରୀ ଏରଫାନ ସୋଲତାନିଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ସ୍ଥିର କରିଥିଲା । ଏହାପରେ ଟ୍ରମ୍ପ ଇରାନକୁ କଡ଼ା ଜବାବ ଦେବାକୁ ଧମକ ଦେଇଥିଲେ । ଯଦି ସେମାନେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରନ୍ତି, ତେବେ ସ୍ଥିତି ଭୟଙ୍କର ହେବ ବୋଲି ଟ୍ରମ୍ପ ଧମକ ଦେଇ କହିଥିଲେ। ପୂର୍ବରୁ ମଧ୍ୟ ଇରାନ ସରକାର ଟ୍ରମ୍ପଙ୍କ ବିରୋଧରେ ସିଧାସଳଖ ମୃତ୍ୟୁ ଧମକ ଦେଇଥିଲେ। ଆମେରିକା ସହିତ ବ୍ୟାପକ ବିରୋଧ ଓ ଉତ୍ତେଜନା ମଧ୍ୟରେ ବୁଧବାର ଇରାନ ଅଧିକାଂଶ ବିମାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଥିଲା। ଫଳରେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତ ତା’ର ନାଗରିକଙ୍କୁ ତୁରନ୍ତ ଇରାନ ଛାଡିବାକୁ ପରାମର୍ଶ ଜାରି କରିଥିଲା ।
