ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରାଯାଇପାରିବ କି ? ଗୁଜୁରାଟ ସରକାର କରୁଛନ୍ତି ବିଚାର

ମେହସାନା: ସମ୍ବିଧାନର ପରିସର ଭିତରେ ରହି ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରାଯାଇପାରିବ କି ? ଏ ନେଇ ବିଚାର ଆରମ୍ଭ କରିଦେଇଛନ୍ତି  ଗୁଜୁରାଟ ସରକାର । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ କହିଛନ୍ତି ଯେ ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରିବାର ବ୍ୟବସ୍ଥା ସାମ୍ବିଧାନିକ ସୀମା ମଧ୍ୟରେ କରାଯାଇପାରିବ କି ନାହିଁ ତାହା ତାଙ୍କ ସରକାର ଅଧ୍ୟୟନ କରିବେ। ପ୍ରେମ ବିବାହ ପାଇଁ ପିତାମାତାଙ୍କ ଅନୁମତି ବାଧ୍ୟତାମୂଳକ କରିବାକୁ ପଟିଦାର ସମ୍ପ୍ରଦାୟର କେତେକ ବର୍ଗର ଦାବିର ଉତ୍ତରରେ ପଟେଲ ଏହି ମନ୍ତବ୍ୟ ଦେଇଛନ୍ତି।

ମେହସାନା ଜିଲ୍ଲାର ପଟିଦାର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସର୍ଦ୍ଦାର ପଟେଲ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ତାଙ୍କୁ  ଝିଅମାନଙ୍କୁ ଘରୁ ପଳାଇଯାଇ କରୁଥିବା ପ୍ରେମବିବାହ ଉପରେ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ପିତାମାତାଙ୍କ ଅନୁମତି ବାଧ୍ୟତାମୂଳକ (ପ୍ରେମ ବିବାହ ପାଇଁ) ବ୍ୟବସ୍ଥା କରାଯାଇପାରିବ। ଯଦି ସମ୍ବିଧାନ ଏହାକୁ ସମର୍ଥନ କରେ, ତେବେ ଆମେ ଏହାର ଅଧ୍ୟୟନ କରିବୁ ଏବଂ ଏଥିପାଇଁ ସର୍ବୋତ୍ତମ ବ୍ୟବସ୍ଥା କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି ।

କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲା କହିଛନ୍ତି ଯେ ଯଦି ସରକାର ବିଧାନସଭାରେ ଏ ସଂକ୍ରାନ୍ତ ବିଲ୍ ଆଣନ୍ତି ତେବେ ସେ ଏହାକୁ ସମର୍ଥନ କରିବେ। ପ୍ରେମ ବିବାହ ସମୟରେ ପିତାମାତାଙ୍କୁ ଅଣଦେଖା କରାଯାଉଥିବା ବେଳେ ସରକାର ଲଭ୍ ମ୍ୟାରେଜ୍ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବିଚାର କରୁଛନ୍ତି, ଯାହା କି ସାମ୍ବିଧାନିକ।

Spread the love