ଚନ୍ଦ୍ର ପରେ ଇସ୍ରୋର ଆଗାମୀ ଟାର୍ଗେଟ୍ ମିଶନ ସୂର୍ଯ୍ୟ

ଇସ୍ରୋର ମିଶନ ଚନ୍ଦ୍ର ପରେ ଆଗାମୀ ଟାର୍ଗେଟ୍ ହେଉଛି ମିଶନ ସନ୍ (Mission Sun)। ଆସନ୍ତା ମାସରେ ଲଞ୍ଚ ହେବ ଏହି ମିଶନ । ଭାରତ ଏହାର ପ୍ରଥମ ସୂର୍ଯ୍ୟ ମିଶନ ପାଇଁ କରିସାରିଲାଣି ପ୍ରସ୍ତୁତି । ୧୪ ଜୁଲାଇରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରକୁ ପଠାଇଛି ଇସ୍ରୋ । ଏହା ଏବେ ଚନ୍ଦ୍ର ଆଡକୁ ଅଗ୍ରସର ହେଉଛି । ଅଗଷ୍ଟ ୨୩ ତାରିଖରେ ଏହାର ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଯୋଜନା କରୁଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର-ଇସ୍ରୋ। ତେବେ ଚନ୍ଦ୍ରଯାନ-୩ ମିଶନ ପରେ କଣ ? କଣ ରହିଛି ଇସ୍ରୋର ଆଗାମୀ ଲକ୍ଷ୍ୟ ? ଏହାକୁ ନେଇ ସାମ୍ନାକୁ ଆସିଛି ସୂଚନା । ଇସ୍ରୋର ଫୋକସରେ ଏବେ ସୂର୍ଯ୍ୟ ମିଶନ । କୋରୋନା କାରଣରୁ ଭାରତର ଚନ୍ଦ୍ରଯାନ-୩ ମିଶନ ବେଶ୍ ବିଳମ୍ବ ହୋଇଥିଲା । ହେଲେ ଏବେ ସେହି ମିଶନ ପୂରା ହେବାକୁ ଯାଉଛି । ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ସହିତ ଏ ମିଶନ ପୁରା ହୋଇଯିବ । ଏହାର ୩ ଦିନ ପରେ ଇସ୍ରୋ ଏହାର ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ତିଆରି କରିଛି ରଣନୀତି । କୁହାଯାଉଛି ଇସ୍ରୋ ଏହାର ପ୍ରଥମ ସୂର୍ଯ୍ୟ ମିଶନ, ଆଦିତ୍ୟ ଏଲ-୧କୁ ଅଗଷ୍ଟ ୨୬ ତାରିଖରେ ଲଞ୍ଚ କରିପାରେ ।

ଇସ୍ରୋ ମୁଖ୍ୟ ସୋମନାଥ ଏସ୍ ଗୁରୁବାର ହିଁ ସୂଚନା ଦେଇଥିଲେ, ‘‘ସୂର୍ଯ୍ୟ ସମ୍ପର୍କରେ ଅଧିକ ଅଧ୍ୟୟନ ପାଇଁ ଆଦିତ୍ୟ ଏଲ-୧ ମିଶନ ପ୍ରସ୍ତୁତି ଚାଲିଛି । ଏହା ବାଦ୍ ସୌରମଣ୍ଡଳ ବାହାରେ ଥିବା ଗ୍ରହ ଗୁଡିକ ସମ୍ପର୍କରେ ଅଧ୍ୟୟନ ପାଇଁ ଏକ ଉପଗ୍ରହ ତିଆରି ସମ୍ପର୍କରେ ବିଚାର କରୁଛି ଇସ୍ରୋ । ଆଦିତ୍ୟ , ସୂର୍ଯ୍ୟ-ପୃଥିବୀ ପ୍ରଣାଳୀ ପ୍ରଭାମଣ୍ଡଳର କକ୍ଷର ଲୌଗ୍ରେଞ୍ଜ ପଏଣ୍ଟ ବା ଏଲ-୧ ଦେଇ ଅତିକ୍ରମ କରିବ । ଏହାର ପୃଥିବୀ ଠାରୁ ଦୂରତା ୧୫ ଲକ୍ଷ କିମି ହେବ । ଏହି ସ୍ଥିତିରେ ଏହି ଯାନ ସୂର୍ଯ୍ୟଙ୍କୁ ଭଲ ଭାବରେ ଦେଖିପାରିବ । ଏହି ଯାନ ସହାୟତାରେ ସୂର୍ଯ୍ୟର ବିଭିନ୍ନ ପ୍ରକ୍ରିୟାକୁ ଦେଖିହେବ । ଆପଣ ଏହା ବି ଦେଖିପାରିବେ, କି ସୂର୍ଯ୍ୟଙ୍କ ଗତି କାରଣରୁ ଅନ୍ତରୀକ୍ଷରେ ପାଣିପାଗ ଉପରେ କେମିତି ପଡୁଛି ପ୍ରଭାବ । ’ ଇସ୍ରୋ ଟାର୍ଗେଟ୍ ଅନୁସାରେ ଆଦିତ୍ୟ ଏଲ-୧ ଉତକ୍ଷେପଣରୁ ସୂର୍ଯ୍ୟ ନିକଟବର୍ତ୍ତି କକ୍ଷ ପଥରେ ପହଁଚିବାକୁ ଅତି କମରେ ପ୍ରାୟ ୪ ମାସ ସମୟ ଲାଗିବ । ଚନ୍ଦ୍ରଯାନ-୨ ବିଫଳତା ପରଠାରୁ ଇସ୍ରୋ ଏହି ସୂର୍ଯ୍ୟ ମିଶନ ଉପରେ କାମ କରୁଥିଲା ।

Spread the love