ଇସ୍ରୋରେ କାର୍ଯ୍ୟ କରୁଥିବା ଓଡ଼ିଶାର ପ୍ରଥମ ମହିଳା ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ଦେହାନ୍ତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ)ରେ କାର୍ଯ୍ୟ କରିଥିବା ଓଡ଼ିଶାର ପ୍ରଥମ ମହିଳା ବୈଜ୍ଞାନିକ ଡଃ ସୁଷମା ପାଣିଗ୍ରାହୀ ଙ୍କର ରବିବାର ଅହମ୍ମଦାବାଦ୍‌ ଠାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କର ବୟସ ୬୭ବର୍ଷ ହୋଇଥିଲା ଏବଂ ସେ କ୍ୟାନ୍‌ସର୍‌ରେ ପୀଡ଼ିତ ଥିଲେ ।

ଡଃ ପାଣିଗ୍ରାହୀ, ଅକ୍ଟୋବର ୧୭, ୧୯୫୨ ମସିହାରେ ଗଞ୍ଜାମ ଜିଲ୍ଲାର ଆସ୍କାଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୪ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏଥିସାହିତ ଡଃ ପାଣିଗ୍ରାହୀ ୧୯୮୨ ମସିହାରେ ଆଇଆଇଟି, ଖଡ଼ଗପୁରରୁ  ପିଏଚ୍‌ଡି ପାଠ୍ୟକ୍ରମ ଶେଷକରିଥିଲେ । ସେ ଅହମ୍ମଦାବାଦ୍‌ ଠାରେ ୧୯୮୩ ମସିହାରେ ଇସ୍ରୋରେ ଜଣେ ବୈଜ୍ଞାନିକ ଭାବରେ ଯୋଗଦେଇ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୨ ମସିହାରେ ଅବସର ନେଲା ବେଳକୁ ଡଃ ପାଣିଗ୍ରାହୀ ପ୍ରନ୍‌ସିପାଲ ସାଇଣ୍ଟିଷ୍ଟ ପଦବୀକୁ ପଦୋନ୍ନତି ପାଇସାରିଥିଲେ ।
ଡଃ ପାଣିଗ୍ରାହୀ ବିପର୍ଯ୍ୟୟ ପରିଚାଳନା, ଝଡ଼ବାତ୍ୟା, ବନ୍ୟା ଓ ଫସଲ ପରିଚାଳନା ସହିତ ଜଡ଼ିତ ଥିବା ସୁଦୂର ସଂବେଦନ(ରିମୋର୍ଟ ସେନ୍‌ସିଙ୍ଗ) କ୍ଷେତ୍ରରେ କାର୍ଯ୍ୟ କରିଥିଲେ ।
ଡଃ ପାଣିଗ୍ରାହୀଙ୍କର ସ୍ୱାମୀ, ଡଃ ମାନବ ଚକ୍ରବର୍ତ୍ତୀ ଜଣେ ପରମାଣୁ ବୈଜ୍ଞାନିକ, ଯିଏ ମଧ୍ୟ ଇସ୍ରୋରେ ବହୁବର୍ଷ ଧରି କାର୍ଯ୍ୟ କରିଛନ୍ତି । ଡଃ ସୁଷମା ପାଣିଗ୍ରାହୀଙ୍କର ପରିବାରରେ ତାଙ୍କର ସ୍ୱାମୀଙ୍କ ସହିତ ଜଣେ ପୁତ୍ର ମଧ୍ୟ ଅଛନ୍ତି । ପୁତ୍ର ଜଣଙ୍କ ଇଂଜିନିୟର ଭାବେ କାର୍ଯ୍ୟରତ ଏବଂ ତାଙ୍କର ନାମ ହେଉଛି ସୁଦୀପ ଚକ୍ରବର୍ତ୍ତୀ ।

Spread the love