ଶତ୍ରୁ ଉପରେ ଅନ୍ତରୀକ୍ଷରୁ ନଜର ରଖିବ ଭାରତ, ଇସ୍ରୋ ଲଞ୍ଚ କରିବ ଏହି ଉପଗ୍ରହ

ଭାରତର ଶତ୍ରୁଙ୍କ ଉପରେ ଏଣିକି ଅନ୍ତରୀକ୍ଷରୁ ନଜର ରଖିବ ଉପଗ୍ରହ | କାରଣ ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଆସନ୍ତା ନଭେମ୍ବର ୭ ରେ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଉତକ୍ଷେପଣ କରିବାକୁ ଯାଉଛି। ଇସ୍ରୋ ର ଅନେକ ପ୍ରକଳ୍ପ କରୋନା କାରଣରୁ ଅଟକି ଯାଇଥିଲା, ଯାହା ବର୍ତ୍ତମାନ ପୁଣିଥରେ ଆରମ୍ଭ ହେଉଛି | ଏହି ପର୍ଯ୍ୟାୟରେ,ଇସ୍ରୋ ପିଏସଏଲଭି-ସି୪୯ ରକେଟ ମାଧ୍ୟମରେ ଇଓଏସ-୦୧ ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି | ଇଓଏସ-୦୧ ଅର୍ଥାତ ଆର୍ଥ ଅବଜରଭେସନ ସାଟେଲାଇଟ ମାଧ୍ୟମରେ ଇସ୍ରୋ ଅନ୍ତରୀକ୍ଷରୁ ପୃଥିବୀ ଉପରେ ନଜର ରଖିପାରିବ |

ତେବେ ଇସ୍ରୋର ଏହି ମିଶନ ଏଥିପାଇଁ ଖାସ କାରଣ ପିଏସଏଲଭି-ସି୪୯ ରକେଟ ମାଧ୍ୟମରେ ଇସ୍ରୋ ଲିଥୁଆନିଆର ଗୋଟିଏ ଉପଗ୍ରହ, ଲଜ୍ଜମବର୍ଗର ୪ଟି ଓ ଆମେରିକାର ୪ଟି ଉପଗ୍ରହକୁ ମଧ୍ୟ ପଠାଇବ | ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ସହିତ ଏକ ବାଣିଜ୍ୟିକ ଚୁକ୍ତିନାମା ଅନୁଯାୟୀ ଏହି ସମସ୍ତ ଉପଗ୍ରହ ଉତକ୍ଷେପଣ କରାଯିବ । ଭାରତର ‘ଇଓଏସ-୦୧’ ବିଷୟରେ କହିବାକୁ ଗଲେ ଏହି ଉପଗ୍ରହ ହେଉଛି ପୃଥିବୀ ପର୍ଯ୍ୟବେକ୍ଷଣ ରିସେଟ ସାଟେଲାଇଟ୍। ଏହି ଉନ୍ନତ ସଂସ୍କରଣରେ ଏକ ସିନ୍ଥେଟିକ୍ ଆପେଚର ରାଡାର (SAR) ଅଛି ଯାହାକି ଯେକୌଣସି ସମୟରେ ଏବଂ ଯେ କୌଣସି ପାଗରେ ପୃଥିବୀ ଉପରେ ନଜର ରଖିବାର କ୍ଷମତା ରଖିଛି |

ଏହା ମଧ୍ୟ କୁହାଯାଉଛି ଯେ ଏହି ଉପଗ୍ରହ ଭାରତୀୟ ସେନାକୁ ଏହାର ସୀମାକୁ ଜଗିବାରେ ମଧ୍ୟ ସାହାଯ୍ୟ କରିବ। ଏହା ବ୍ୟତୀତ ଏହି ଉପଗ୍ରହ କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନାରେ ବ୍ୟବହାର କରାଯାଇପାରିବ | ଏହି ଉପଗ୍ରହ ଶ୍ରୀହରିକୋଟା ର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ନଭେମ୍ବର ୭ ରେ ଅପରାହ୍ନ ୩:୦୨ ରେ ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମିଶନ ପରେ ଇସ୍ରୋ ଡିସେମ୍ବରରେ ଜିସାଟ -୧୨ଆର ଯୋଗାଯୋଗ ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି | ଯାହା ପିଏସଏଲଭି-ସି୫୦ ରକେଟ୍ ଦ୍ୱାରା ଉତକ୍ଷେପଣ କରିବାକୁ ଯୋଜନା କରାଯାଇଛି | ସୂଚନା ଥାଉ କି ଇସ୍ରୋ ଡିସେମ୍ବର ୨୦୧୯ ରେ ଏହାର ଶେଷ ଉପଗ୍ରହ ଉତକ୍ଷେପଣ କରିଥିଲା | ଇସ୍ରୋ ୧୧ ଡିସେମ୍ବର ୨୦୧୯ ରେ ରିସାଟ-୨ ବିଆର୧ ଲଂଚ କରିଥିଲା | ଏହା ଏକ ସର୍ଭିଲାନ୍ସ ଉପଗ୍ରହ ଥିଲା | ସେହିପରି ଚଳିତ ବର୍ଷ ଜାନୁଆରୀରେ, ଫ୍ରେଞ୍ଚ ଗୁଏନାର ୟୁରୋପୀୟ ସ୍ପେସପୋର୍ଟରୁ ଜିସାଟ-୩୦ ଲଞ୍ଚ କରାଯାଇଥିଲା |

Spread the love