ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୩ ବର୍ଷ ପୂରିଲା: ଏଯାଏ ଚାର୍ଜସିଟ୍ ଦାଖଲ କରିନି ସିବିଆଇ

ମୁମ୍ବାଇ : ବିଶିଷ୍ଟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁକୁ ଆଜି ତିନିବର୍ଷ ପୂରିଥିଲେ ମଧ୍ୟ ଏହାର ତଦନ୍ତ ଦାୟିତ୍ବ ନେଇଥିବା ସିବିଆଇ ନୀରବ। ସିବିଆଇ ଚାର୍ଜସିଟ୍ ଦାଖଲ କରୁନି, ମାମଲା ବନ୍ଦ କରୁନି କିମ୍ବା ଏ ବାବଦରେ ଗଣମାଧ୍ୟମ କିଛି ପଚାରିଲେ ଉତ୍ତର ବି ଦେଉନି। ଜୁନ୍ ୧୪, ୨୦୨୦ରେ ବାନ୍ଦ୍ରା ବାସଭବନରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହକୁ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ବାନ୍ଦ୍ରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନେକ ଅଭିନେତା ଓ ପ୍ରଡ୍ୟୁସରଙ୍କ ସମେତ ବହୁଲୋକଙ୍କ ବୟାନ ନେଇଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। କିନ୍ତୁ ସିବିଆଇ ଏତେଦିନ ଧରି ତଦନ୍ତ କରିବା ପରେ କ’ଣ ଅଧିକ ତଥ୍ୟ ସଂଗ୍ରହ କରିଛି, ପଚାରିଲେ କିଛି ଉତ୍ତର ଦେଉନି।
ଅଭିଯୋଗ ହୋଇଛି ଯେ, ସୁଶାନ୍ତ ସିଂହ ରାଜପୁତ ଓ ତାଙ୍କର ପୂର୍ବତନ ସହଯୋଗୀ ଦିଶା ସାଲିଆନ ଉଭୟ ହତ୍ୟାର ଶିକାର ହୋଇଛନ୍ତି। ସାଲିଆନଙ୍କର ୨୦୨୦ ଜୁନ୍ ୮ରେ ମୃତ୍ୟୁ ହୋଇଥିଲା। ମୁମ୍ବାଇ ପୁଲିସ ତଦନ୍ତ କଲେ ବି ହତ୍ୟାର ସୁରାକ ପାଇ ନ ଥିଲା। ରାଜପୁତଙ୍କ ବାପାଙ୍କ ବିବୃତିକୁ ଆଧାର କରି ବିହାର ପୁଲିସ ରାଜପୁତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ, ତାଙ୍କ ପରିବାର ସଦସ୍ୟ ଓ ସୁଶାନ୍ତଙ୍କ ଘରେ କାମ କରୁଥିବା ଚାକରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା। ପରେ ସିବିଆଇ ହତ୍ୟା ଅଭିଯୋଗର ତଦନ୍ତ ଦାୟିତ୍ବ ନେଇ ରିଆଙ୍କ ସମେତ ବହୁ ଲୋକଙ୍କ ବୟାନ ନେଇଥିଲା।

ଆଉ ଏକ କେନ୍ଦ୍ରୀୟ ଏଜେନ୍ସି ଏନ୍‌ସିବି ରିଆ ଚକ୍ରବର୍ତ୍ତୀଙ୍କ ଫୋନ୍ ଚାଟ୍‌କୁ ଭିତ୍ତି କରି ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ଅନ୍ୟମାନଙ୍କ ନାମରେ ରାଜପୁତଙ୍କୁ ଡ୍ରଗ୍ ଯୋଗାଉଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲା। ତତ୍କାଳୀନ ଏନ୍‌ସିବି ଅଧିକାରୀ ସମୀର ୱାନଖେଡ଼େ ତଦନ୍ତର ନେତୃତ୍ବ ନେଇଥିବା ବେଳେ ସେ ନିଜେ ବର୍ତ୍ତମାନ ଦୁର୍ନୀତି ଅଭିଯୋଗରେ ସିବିଆଇ ତଦନ୍ତର ସମ୍ମୁଖୀନ। ସିବିଆଇ ତଦନ୍ତର ସ୍ଥିତି ଜଣାଇବା ପାଇଁ ୨୦୨୧ରେ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିବା ବେଳେ କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ନ ଥିଲେ।

Spread the love