ଅମରନାଥ ଗୁମ୍ଫାର ସୁରକ୍ଷା ଦାୟିତ୍ବ ଆଇଟିବିପି ହାତରେ

ନୂଆଦିଲ୍ଲୀ : ଗତବର୍ଷ ଅମରନାଥ ଯାତ୍ରା ସମୟରେ ଗୁମ୍ଫାରେ ହୋଇଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗୁମ୍ଫାର ସୁରକ୍ଷା ପାଇଁ ଆଇଟିବିପିକୁ ନିୟୋଜିତ କରାଯାଇଛି । ସିଆରପିଏଫ କେବଳ ଗୁମ୍ଫା ନିକଟ କିଛି ସ୍ଥାନରେ ରହିବ । ଏଥର ସୁରକ୍ଷା ପାଇଁ ଏନଡିଆରଏଫକୁ ମଧ୍ୟ ମୁତୟନ କରାଯାଇଛି । ପାର୍ବତ୍ୟାଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟର କିପରି ମୁକାବିଲା କରାଯିବ ସେ ନେଇ ତାଲିମପ୍ରାପ୍ତ ହୋଇଥିବାରୁ ଆଇଟିବିପିକୁ ଅମରନାଥରେ ମୁତୟନ କରାଯାଇଛି । ଗୃହ ମନ୍ତ୍ରଣାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗୃହ ସଚିବ ଅଜୟ ଭଲ୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଇଟିବିପି ଡିଜି, ବିଏସଏଫ ଡିଜି, ଏନଡିଆରଏଫ ଡିଜି, ସିଆରପିଏଫ ଡିଜିଙ୍କ ବ୍ୟତୀତ ଆଇବି ଏବଂ ର’ ମୁଖ୍ୟମାନେ ଉପସ୍ଥିତ ଥିଲେ। ଅମରନାଥ ଯାତ୍ରାର ସୁରକ୍ଷା କୁ ଆଜି ଚୂଡ଼ାନ୍ତ ରୂପ ଦିଆଯାଇଛି। ଏହି ଯାତ୍ରା ଜୁଲାଇ ପହିଲାରୁ ଆରମ୍ଭ ହୋଇ ଆସନ୍ତା ୬୨ ଦିନ ପର୍ଯ୍ୟନ୍ତ ଚାଲିବ।

ଜମ୍ମୁ-କଶ୍ମୀର ପୁଲିସ ଏବଂ ଅମରନାଥ ସ୍ରାଇନ୍ ବୋର୍ଡ ପକ୍ଷରୁ ଗୁମ୍ଫାର ସୁରକ୍ଷା ପାଇଁ ଆଇଟିବିପି ଯବାନଙ୍କୁ ମୁତୟନ କରିବାକୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ଜମ୍ମୁ-କଶ୍ମୀର ପୁଲିସ ସେମାନଙ୍କ ସମସ୍ୟା ଉଠାଇଥିଲା । ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଉଛି। ଗତବର୍ଷ ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବନ୍ୟା ସମୟରେ ଆଇଟିବିପି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

Spread the love