ନିରଞ୍ଜନଙ୍କ ନିଦ ହଜାଇବେ ଇତିଶ୍ରୀ

ଆଜି ନୂଆଦିଲ୍ଲୀରେ ଏଆଇସିସି ବୈଠକ ବସିଥିବାବେଳେ ଏପଟେ ରାଜ୍ୟ କଂଗ୍ରେସରେ ଉଠିଛି ବିଦ୍ରୋହର ସ୍ୱର । ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ । ତାଙ୍କ ପୁଅକୁ ନିର୍ବାଚନରେ ପ୍ରାର୍ଥୀ କରିବା ହେଉ କିମ୍ବା ଅନଭିଜ୍ଞ ଲୋକଙ୍କୁ ପ୍ରାର୍ଥୀ କରିବା । ନିରଞ୍ଜନ ନିଜର ବ୍ୟବସାୟକୁ ବଢ଼ାଇବା ଓ ପୁଅକୁ ମଣିଷ କରିବାକୁ ଚକ୍ରାନ୍ତ କରିଥିଲେ । ଏଥିପାଇଁ ତାଙ୍କ ନିଦ ହଜାଇ ଦିଆଯିବ । ତାଙ୍କ ବିରୁଦ୍ଧରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ ଅଭିଯୋଗ କରାଯିବ । ଆଜି ଏଭଳି ବିଶୋଦଗାର କରିଛନ୍ତି ଇତିଶ ପ୍ରଧାନ ।

ଇତିଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ଅମର ପ୍ରଧାନଙ୍କ ‘ଖଳନାୟକ’ ମନ୍ତବ୍ୟରେ ତାଳ ଦେଇଛନ୍ତି ଇତିଶ । ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଭାଇ ସୌମ୍ୟରଞ୍ଜନ ମିଶି କଂଗ୍ରେସ ଦଳକୁ ହରାଇଛନ୍ତି । ଭାଇ ମଧ୍ୟସ୍ଥି କରାଇ ଦଳକୁ ବିକ୍ରି କରିଦେଇଛନ୍ତି । ସେହିପରି ନିରଞ୍ଜନ କେବଳ ନିଜର ବ୍ୟବସାୟକୁ ବଢ଼ାଇବା ପାଇଁ ଏବଂ ପୁଅକୁ ମଣିଷ କରିବାକୁ ସେ ଚକ୍ରାନ୍ତ କରିଥିଲେ । ଯାହାକୁ କଦାପି ସହ୍ୟ କରାଯିବ । ନିରଞ୍ଜନଙ୍କ ଏ ଚକ୍ରାନ୍ତ ବିଷୟରେ ଏଆଇସିସି ନିକଟରେ ଫେରାଦ ଦିଆଯିବ । ତାଙ୍କ ସଭାପତି ପଦରୁ ହଟାଇବାକୁ ଜୋର ଦାର ଦାବି କରାଯିବ ବୋଲି ଇତିଶ କହିଛନ୍ତି । ସେହିପରି ସେ ଏବେ ଓଡ଼ିଶାରେ ନାହାଁନ୍ତି । ବାହାରୁ ଫେରିଲା ପରେ ତାଙ୍କୁ ଓଡ଼ିଶା ଭିତରେ ପୁରାଇ ଦିଆଯିବ ନାହିଁ । ତାଙ୍କ ବିରୋଧରେ ଆନ୍ଦୋଳନ କରାଯିବ ଏବଂ ତାଙ୍କୁ କୌଣସି କାମ କରାଇ ଦିଆଯିବ ନାହିଁ ବୋଲି ଇତିଶ ଚେତାବନୀ ଦେଇଛନ୍ତି । ସେପଟେ ରାଜ୍ୟ ବାହାରେ ଥିବା ନିରଞ୍ଜନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଏଆଇସିସି ବୈଠକରେ ସାମିଲ ହୋଇ ନାହାଁନ୍ତି ।

 

Spread the love