ପି ଚିଦାମ୍ୱରମ୍ ଗୃହମନ୍ତ୍ରୀ ଥିବାବେଳେ ଅମିତ ଶାହାଙ୍କୁ କରାଇଥିଲେ ଗିରଫ , ଏବେ ଶାହାଙ୍କ ପାଳି…

ରାଜନୀତି ବଡ  ଜଟିଳ ଜିନିଷ। କେତେବେଳେ କେଉଁବାଜି  କାହା ଆଡକୁ ପଲଟିବ ତାହା ଜଣାନାହିଁ । ଯେମିତି ପାସ ସିଢି ଖେଳ । ସାପ ମୁହଁରେ ଗୋଟି ପଡିଲେ ସିଧା ତଳକୁ । ଆଉ ସିଢିରେ ପଡିଲେ ଉପରକୁ । ଠିକ ଏବେ ପି ଚିଦାମ୍ବରମ ଓ ଶାହଙ୍କ ମଧ୍ୟରେ ହୋଇଛି । ଏବେ ଏହି ସାପ ସିଡ଼ିର ଖେଳ ଦେଖିବାକୁ ମିଳିଛି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମ ଓ ବିଜେପି ନେତା ତଥା ଆଜିର ଗୃହମନ୍ତ୍ରୀ ଅମିତ ଶାହଙ୍କ କ୍ଷେତ୍ରରେ। 29 ନଭେମ୍ୱର 2008 ରୁ 31 ଜୁଲାଇ 2012 ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଦାୟିତ୍ୱରେ ଥିଲେ ଚିଦାମ୍ୱରମ। ସେତେବେଳେ ଅମିତ ଶାହ ଶହରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ଗିରଫ ହୋଇଥିଲେ। ଏବେ ସମୟ ବଦଳିଯାଇଛି ଅମିତ ଶାହ ଦେଶର ଗୃହମନ୍ତ୍ରୀ ଏବଂ ସିବିଆଇ-ଇଡି ଚିଦାମ୍ୱରମଙ୍କୁ ଆଇଏଏନଏକ୍ସ ଦୂର୍ନୀତି ମାମଲାରେ ଜେଲରେ ଭର୍ତ୍ତି କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ପି ଚିଦାମ୍ୱରମ ଆଇଏନଏକ୍ସ ମିଡିଆ ଦୂର୍ନିତି ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟରେ ଚେଷ୍ଟା କରୁଛନ୍ତି। ଗତକାଲିଠୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କୁ ଠାବ କରିବାରେ ଏଯାଏ ସଫଳ ହୋଇନାହାନ୍ତି। ଏବେ ସୁପ୍ରିମକୋର୍ଟଙ୍କ ଶରଣରେ ଅଛନ୍ତି ଚିଦାମ୍ୱରମ୍। ଏଭଳି କିଛି ସ୍ଥିତି ଠିକ୍ 10 ବର୍ଷ ତଳେ ଥିଲା ଗୃହମନ୍ତ୍ରୀ ଅମିତ ଶାହଙ୍କ କ୍ଷେତ୍ରରେ। ଶହରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ଅମିତ ଶାହ ଗିରଫ ହୋଇଥିଲେ। 25 ଜୁଲାଇରେ ପ୍ରେସ କନଫରେନସ କରୁଥିବା ବେଳେ ସିବିଆଇ ଅମିତ ଶାହଙ୍କୁ ଗିରଫ କରିଥିଲା। ତିନି ମାସ ପାଇଁ ଅମିତ ଶାହ ଜେଲରେ ରହିବା ପରେ 2 ବର୍ଷ ପାଇଁ ଗୁଜରାଟ ବାହାରେ ରହିବା ପାଇଁ ଗୁଜରାଟ ହାଇକୋର୍ଟ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ। ଅମିତ ଶାହଙ୍କ ନାଁରେ ଚାଲିଥିବା ଶୋହରାବୁଦ୍ଦିନ ମାମଲା ଗୁଜରାଟ ହାଇକୋର୍ଟରୁ ମୁମ୍ୱାଇ ହାଇକୋର୍ଟ ସ୍ଥାନାନ୍ତର ହୋଇଥିଲା।

ଏହାପରେ 2015 ରେ ସ୍ପେଶାଲ ସିବିଆଇ କୋର୍ଟ ଅମିତ ଶାହଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଥିଲେ। 2010 ରେ ଅମିତ ଶାହ ଗିରଫ ହେବା ପରେ ବିଜେପି ଅଭିଯୋଗ କରିଥିଲା ଉଦ୍ଦେଶ୍ୟମୂଳକ ଭାବରେ ଟାର୍ଗେଟ କରାଯାଇ ଅମିତ ଶାହଙ୍କୁ ଜେଲ୍ ପଠାଯାଇଛି। ଏବେ ମଧ୍ୟ କଂଗ୍ରେସ ଶାସକ ଦଳ ବିଜେପି ନାଁରେ ସମାନ ଅଭିଯୋଗ ଆଣୁଛି। ଏବେ ଚିଦାମ୍ୱରମଙ୍କ ମାମଲା ଆଗକୁ କେଉଁ ମୋଡ଼ ନେବ ଜଣାନାହିଁ। କିନ୍ତୁ ଚିଦାମ୍ୱରମଙ୍କ ବିରୋଧରେ ଆଇଏନଏକ୍ସ ମିଡିଆକୁ ନେଇ ଯେଉଁ ଅଭିଯୋଗ ଆସିଛି ସେଥିରେ ତାଙ୍କର ସଂପୃକ୍ତି ଥିବା ନେଇ ଦିଲ୍ଲୀ ହାଇକୋର୍ଟ ଗତକାଲି ଶୁଣାଣି ବେଳେ କହି ସାରିଛନ୍ତି।

Spread the love