ତାମିଲନାଡୁରେ ‘ଅମୂଲ’-‘ଆୱିନ୍‌’ ବିବାଦ; ହସ୍ତକ୍ଷେପ କରିବାକୁ ଅମିତ ଶାହଙ୍କୁ ପ୍ରତ ଲେଖିଲେ ଷ୍ଟାଲିନ୍‌

ଚେନ୍ନାଇ: କର୍ଣ୍ଣାଟକ ନିର୍ବାଚନ ବେଳେ ‘ଅମୂଲ’ ଓ ‘ନନ୍ଦିନୀ’ ମଧ୍ୟରେ ବିବାଦ ପ୍ରମୁଖ ଆଲୋଚନାର ବିଷୟ ହୋଇଥିବା ବେଳେ ସମ୍ପ୍ରତି ତାମିଲନାଡୁରେ ‘ଅମୂଲ’ ଓ ‘ ଆୱିନ୍‌’ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି।
ରାଜ୍ୟ ସମବାୟ ‘ଆୱିନ୍‌’ରୁ ଦୁଗ୍ଧ କ୍ରୟ ବନ୍ଦ କରିବା ଲାଗି ତୁରନ୍ତ ‘ଅମୂଲ୍‌’କୁ ନିର୍ଦେଶ ଦେବା ଲାଗି ଅନୁରୋଧ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି।
ଷ୍ଟାଲିନ୍‌ କହିଛନ୍ତି, ‘କୈରା ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦନ ସଂଘ’ (ଅମୂଲ) ସେମାନଙ୍କର ବହୁ-ପ୍ରାଦେଶିକ ସମବାୟ ଲାଇସେନ୍‌ସ୍‌ ବ୍ୟବହାର କରି କୃଷ୍ଣନଗରୀ ଜିଲ୍ଲାରେ ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଓ ପ୍ରକ୍ରିୟାକରଣ କାରଖାନା ଖୋଲିବାକୁ ଉଦ୍ୟମ ଚଳାଇଛି। ଏଥିପାଇଁ ଆମ ରାଜ୍ୟର କୃଷ୍ଣନଗରୀ ଏବଂ ତା’ ଚାରିପଟେ ଥିବା ଧର୍ମପୁରୀ, ଭେଲୋର୍‌, ରାଣୀପେଟ୍‌, ତିରୁପତୁର, କାଞ୍ଚିପୁରମ୍‌ ଏବଂ ତିରୁବଲ୍ଲୁର ଜିଲ୍ଲାର ‘ଫାର୍ମର୍‌ ପ୍ରଡ୍ୟୁସର୍‌ ଅର୍ଗାନାଇଜେସନ୍‌ସ୍‌’ ଏବଂ ‘ସ୍ବୟଂ ସହାୟକ ଗୋଷ୍ଠୀ’ ଜରିଆରେ ଦୁଗ୍ଧ ଯୋଗାଡ଼ କରିବ।
ସେ ଆହୁରି ମଧ୍ୟ କହିଛନ୍ତି, ପରସ୍ପରର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅନଧିକାର ପ୍ରବେଶ ନ କରି ସମବାୟମାନଙ୍କୁ ତିଷ୍ଠି ରହିବା ପାଇଁ ଭାରତରେ ନିୟମ କରାଯାଇଛି। ଏଭଳି ଅନଧିକାର ପ୍ରବେଶଜନିତ ଦୁଗ୍ଧ ସଂଗ୍ରହ ‘ଦୁଗ୍ଧ ବନ୍ୟା’ର ମୂଳତତ୍ତ୍ବର ବିରୋଧାଚରଣ କରୁଛି। ଏହା ଫଳରେ ଦେଶର ଅନେକ ପ୍ରାନ୍ତରେ ଗ୍ରାହକମାନେ ଦୁଗ୍ଧ ସଙ୍କଟ ସମସ୍ୟାରେ ପଡ଼ିବେ। ୧୦ ବର୍ଷ ହେବ ନିଷ୍ଠାର ସହିତ ସମବାୟ ନିୟମ ମାନି ଆସୁଥିବା ‘ଆୱିନ୍‌’ ଦୁଗ୍ଧ କ୍ଷେତ୍ରରେ ‘ଅମୂଲ’ର ଅନଧିକାର ପ୍ରବେଶ ସମବାୟ ରୀତିନୀତିରେ ବ୍ୟତିକ୍ରମ ସୃଷ୍ଟି କରିବ ଏବଂ ସମବାୟ ସମବାୟ ମଧ୍ୟରେ ତିକ୍ତ ପ୍ରତିଦ୍ବନ୍ଦ୍ବିତା ସୃଷ୍ଟିର କାରଣ ହେବ।

Spread the love