ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହୋଇଛି ଜାଗୋ: ସୋଆ ଉପସଭାପତି

ଭୁବନେଶ୍ୱର , ଏପ୍ରିଲ୍ ୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସବୁ ସମୟରେ ସମାଜର ହିତ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି । ଏହି ପରିପ୍ରେକ୍ଷୀରେ ‘ଜାଗୋ’ ବହୁବର୍ଷର ଏକ ପଦକ୍ଷେପ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଜାଗୋ ସହାୟକ ହୋଇଛି ବୋଲି କହିଛନ୍ତି ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ।
ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍‌ର ନିକଟବର୍ତୀ ବସ୍ତି ଅଂଚଳରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କୁ ସ୍କୁଲ ବ୍ୟାଗ ଓ ୟୁନିଫର୍ମ ଦେବା ଭଳି କାର୍ଯ୍ୟ କରିଥାନ୍ତି ଟିମ୍ ଜାଗୋର ଛାତ୍ରଛାତ୍ରୀ । ଏହି ପରିପ୍ରେକ୍ଷୀରେ ୨୦୦୭ ମସିହାରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏବେ ବିଶ୍ୱବିଦ୍ୟାଳୟର ସବୁ କ୍ୟାମ୍ପସ୍‌ର ଛାତ୍ରଛାତ୍ରୀମାନେ ଆପଣାଇଛନ୍ତି । ଏହା ଖୁବ ଆନନ୍ଦର ବିଷୟ ବୋଲି କହିଛନ୍ତି ଶ୍ରୀମତି ଦାସ ।
ଶନିବାର ‘ସୋଆ ଜାଗୋ ଟ୍ୟାଲେଂଟ ହଂଟ’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ତଥା ସୋଆର ଛାତ୍ରଛାତ୍ରୀମାନଙ୍କୁ ଶ୍ରୀମତି ଦାସ ପୁରସ୍କୃତ କରିବା ସହ କୁନି କୁନି ପିଲାମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ । ଅନ୍‌ଲାଇନ୍ ଦ୍ୱାରା ୨୪ ଘଂଟା ଧରି ସୋଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର, କବିତା, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏଥିରେ ଯୋଗ ଦେଇ କହିଥିଲେ ଯେ ସମାଜର ହିତ ପାଇଁ ବିଶ୍ୱବିଦ୍ୟାଳୟ ଏଭଳି ମହତ କାର୍ଯ୍ୟ ଆପଣାଇଛି । ବିକଶିତ ଭାରତ ପରିପ୍ରେକ୍ଷୀରେ ଏଭଳି କାର୍ଯ୍ୟ ଦ୍ୱାରା ବିଶ୍ୱବିଦ୍ୟାଳୟ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରୁଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି । କାର୍ଯ୍ୟକ୍ରମରେ କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଉପକୁଳପତି ପ୍ରଫେସର ନୀତା ମହାନ୍ତି, ଆଇଟିଇଆର୍‌ର ଡିନ୍ ପ୍ରଫେସର ପି.କେ ସାହୁ ବକ୍ତବ୍ୟ ରଖିଥିଲେ । ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ ମଲ୍ଲିକ ଓ ଆଇଡିଏସ୍‌ର ପ୍ରଫେସର ଅନୁରାଗ ଶତପଥୀ ଏବଂ ଆଇଟିଇଆରର ସିନିୟର ପ୍ରଫେସର ମୀରା ଦାସ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *