ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ

ନୂଆଦିଲ୍ଲୀ, ୨୧/୦୧: ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାରଠାରୁ ଲିଭାଇ ଦିଆଯିବ। ତେବେ ଏହାକୁ ନିକଟରେ ଥିବା ଜାତୀୟ ଯୁଦ୍ଧ ସ୍ମୃତି ଜ୍ୟୋତି ସହିତ ମିଶାଇ ଦିଆଯିବ।

୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଅମର ଯୱାନ ଜ୍ୟୋତି ସ୍ଥାପନ କରାଯାଇଥିଲା। ଭାରତ ଏହି ଯୁଦ୍ଧରେ ବିଜୟୀ ହେବା ସହିତ ବାଂଲାଦେଶ ପ୍ରତିଷ୍ଠିତ ହୋଇଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୨୬ ଜାନୁଆରୀ ୧୯୭୨ରେ ଅମର ଯବାନ ଜ୍ୟୋତିର ଶୁଭାରମ୍ଭ କରିଥିଲେ। ସେବେଠାରୁ ଏହା ଅନବରତ ଜଳି ଆସୁଛି। ତେବେ ଦେଶର ବିଭିନ୍ନ ସମୟର ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସୈନ୍ୟଙ୍କ ଉଦ୍ଦେଶ୍ୟରେ ଅନତି ଦୂରରେ ଜାତୀୟ ଯୁଦ୍ଧ ସ୍ମାରକୀ ଜ୍ୟୋତି ପ୍ରତିଷ୍ଠା ପାଇଁ ପରିକଳ୍ପନା କରାଯାଇଥିଲା।

ଫେବ୍ରୁଆରୀ ୨୫ ,୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ଜ୍ୟୋତି ପ୍ରତିଷ୍ଠା କରିଥିଲେ। ମାତ୍ର ୪୦୦ ମିଟର ଦୂରରେ ୨ଟି ଜ୍ୟୋତି ପ୍ରଜ୍ଜ୍ବଳିତ ହେଉଥିବାରୁ ଗୋଟିଏକୁ ବନ୍ଦ କରିଦେବା ଲାଗି ସେନା ବାହିନୀ ନିଷ୍ପତ୍ତି ନେଇଛି। ଆଜି ଅମର ଯବାନ ଜ୍ୟୋତିକୁ ଲିଭାଇ ଦିଆଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଯେଉଁଥିରେ ଏୟାର ମାର୍ଶାଲ ବଳଭଦ୍ର ରାଧାକ୍ରିଷ୍ଣା ଯୋଗ ଦେବେ।

Spread the love