ଗୋପନରେ ପାକିସ୍ତାନ ଗସ୍ତକରି ଫେରିଛନ୍ତି ଚୀନ୍‌ କୋଟିପତି ଜ୍ୟାକ୍‌ ମା

ଇସ୍‌ଲାମାବାଦ: ଚୀନା କୋଟିପତି ତଥା ‘ଆଲିବାବା ଗ୍ରୁପ୍‌’ର ସହ-ସଂସ୍ଥାପକ ଜ୍ୟାକ୍‌ ମା ଅପ୍ରତ୍ୟାଶିତ ଭାବେ ପାକିସ୍ତାନ ଗସ୍ତରେ ଆସି ଫେରିଯାଇଥିବା କଥା ପାକିସ୍ତାନୀ ଇଂରାଜୀ ସମ୍ବାଦପତ୍ର ‘ଦି ଏକ୍ସ୍‌ପ୍ରେସ୍‌ ଟ୍ରିବ୍ୟୁନ୍‌’ ରିପୋର୍ଟ କରିଛି। ଜୁନ୍‌ ୨୯ ତାରିଖ ଦିନ ମା’ ଲାହୋର୍‌ରେ ଅବତରଣ କରିଥିଲେ ଓ ୨୩ ଘଣ୍ଟା ରହିଥିଲେ ବୋଲି ‘ବୋର୍ଡ ଅଫ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌’ର (ବିଓଆଇ) ପୂର୍ବତନ ଅଧ୍ୟକ୍ଷ ମହମ୍ମଦ୍‌ ଅଜ୍‌ଫର୍‌ ଅଶାନ୍‌ ‘ଦି ଏକ୍ସ୍‌ପ୍ରେସ୍‌ ଟ୍ରିବ୍ୟୁନ୍‌’କୁ ଏକଥା ସୁନିଶ୍ଚିତ କରି କହିଛନ୍ତି। ଗସ୍ତ ସମୟରେ ଜ୍ୟାକ୍‌ ମା ସରକାରୀ ଅଧିକାରୀ ଓ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନ ଥିଲେ। କ‌ୌଣସି ଏକ ଘରୋଇ ସ୍ଥାନରେ ଅବସ୍ଥାନ କରି ସେ ‘ଜେଟ୍‌ ଆଭିଏସନ୍‌’ ମାଲିକାନାରେ ଥିବା ‘ଭିପି-ସିଏମ୍‌ଏ’ ନାମରେ ପଞ୍ଜୀକୃତ ହୋଇଥିବା ଗୋଟାଏ ଘରୋଇ ଜେଟ୍‌ ବିମାନରେ ଜୁନ୍‌ ୩୦ ତାରିଖ ଦିନ ସ୍ବଦେଶ ଫେରିଯାଇଥିଲେ।

ମା’ଙ୍କ ଗସ୍ତର କାରଣ ସମ୍ପ୍ରତି ଗୋପନୀୟ ରଖାଯାଇଥିଲେ ବି ଆଗକୁ ପାକିସ୍ତାନ ପାଇଁ ତାହାର ସୁଫଳ ମିଳିବ ବୋଲି ଅଶାନ୍‌ ‘ଦି ଏକ୍ସ୍‌ପ୍ରେସ୍‌ ଟ୍ରିବ୍ୟୁନ୍‌’ କହିଛନ୍ତି। କେବଳ ମା ନୁହନ୍ତି, ତାଙ୍କ ସହିତ ଆସିଥିଲେ ଆଉ ୭ଜଣ ବିଶିଷ୍ଟ ବ୍ୟବସାୟୀ। ସେମାନଙ୍କ ମଧ୍ୟରୁ ୫ଜଣ ଚୀନ୍‌ର ନାଗରିକ ହୋଇଥିବା ବେଳେ ଜଣେ ଡେନ୍‌ମାର୍କ ଓ ଆଉ ଜଣେ ଆମେରିକୀୟ ନାଗରିକ। ହଂକଂ ବିଜ୍‌ନେସ୍‌ ଏଭିଏସନ୍‌ ସେକ୍ଟର୍‌ର ଗୋଟାଏ ଚାର୍ଟର୍ଡ ବିମାନରେ ସେମାନେ ନେପାଳ ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ମା’ଙ୍କ ଗୁପ୍ତ ଗସ୍ତ ରିପୋର୍ଟ ପଢ଼ିବା ପରେ ସାମାଜିକ ଗଣମାଧ୍ୟମରେ କଳ୍ପନାଜଳ୍ପନା ଚାଲିଛି କି, ସେ ଓ ତାଙ୍କ ପ୍ରତିନିଧି ଦଳ ପାକିସ୍ତାନରେ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ, ସ୍ପଷ୍ଟୀକରଣ ଦେଇ ଅଶାନ୍‌ ଟୁଇଟ୍‌ କରିଛନ୍ତି, ମା’ଙ୍କ ଗସ୍ତ ଉଦ୍ଦେଶ୍ୟ ଥିଲା ନିହାତି ବ୍ୟକ୍ତିଗତ। ତାଙ୍କ ଗସ୍ତର ସବିଶେଷ ବିବରଣୀ ଓ କାର୍ଯ୍ୟକ୍ରମ ବିଷୟରେ ଚୀନ୍‌ ଦୂତାବାସ ବି ଜାଣି ନ ଥିଲା।

Spread the love