ଜଗା ଅବୁଝା, ମନ ବିଜେଡ଼ିରେ ! ଖୁବ ଶୀଘ୍ର ଦଳ ବଦଳି ଉତ୍ସବ

ଖୁବ୍‌ଶୀଘ୍ର ବିଜେଡି ଶିବିରକୁ ଡେଇଁବେ ରାଜଧାନୀର ଆଗଧାଡ଼ିର ବିଜେପି ନେତା ଜଗନ୍ନାଥ ପ୍ରଧାନ (ଜଗା) । ସବୁ କଥାବାର୍ତ୍ତା ସରିଛି । ନବୀନ ନିବାସରୁ ତାରିଖ ଧାର୍ଯ୍ୟ ପରେ ପଦ୍ମ ଛାଡି ଶଙ୍ଖ ଫୁଙ୍କିବେ । ଏମିତି ଚର୍ଚ୍ଚାକୁ ନିଜେ ଜଗା ବି ଆଉ ଖଣ୍ଡନ କରୁନାହାନ୍ତି । ସିଧାସଳଖ ନ ହେଲେ ବି ବୁଲେଇ ବଙ୍କେଇ ଦଳ ଛାଡିବା ନେଇ ଇଙ୍ଗିତ ଦେଉଛନ୍ତି । କିନ୍ତୁ ଦଳର ଶୀର୍ଷ ନେତୃତ୍ୱ ତାଙ୍କ ଅଭିଯୋଗ ଶୁଣି ସମାଧାନ କଲେ ସେ ନିଷ୍ପତ୍ତି ବଦଳାଇବେ ବୋଲି ମଧ୍ୟ କହୁଛନ୍ତି ।

ବିଜେପିଠୁ ଏକପ୍ରକାର ଦୂରେଇ ଯାଇଥିବା ଜଗା ନିଜ ସମର୍ଥକଙ୍କୁ ଧରି ଚା’ ଖଟିରେ ଲୋକଙ୍କୁ ଭେଟୁଛନ୍ତି । ସପ୍ତାହକ ଭିତରେ ପ୍ରାୟ ୧୦ଟି ଚା’ ଖଟିକୁ ଯାଇ ଲୋକଙ୍କୁ ଭେଟୁଛନ୍ତି । ଜଗାଙ୍କ ଅଚାନକ ଏଭଳି ଚା’ ଖଟି ମିଳନ ରାଜଧାନୀ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ୟୁନିଟ୍‌-୧, ୟୁନିଟ୍‌-୪, ୟୁନିଟ୍‌-୩, ୟୁନିଟ୍‌-୯, ଶାସ୍ତ୍ରୀନଗରରେ ସେ ଚା ଖଟି କରି ସାରିଲେଣି । ଏହି ଖଟିରେ ବିଜେପିର ଯୁବ ନେତା ଓ କର୍ମୀମାନେ ସାମିଲ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ଲୋକ ବି ଜଗାଙ୍କ ଚା’ ଖଟିକୁ ଆସୁଥିବା ଦେଖିବାକୁ ମିଳୁଛି ।

ଜଗାଙ୍କ ସମର୍ଥକ ବି ବିଜେପି ଉପରେ ଖପ୍ପା । ଯେଉଁଭଳି ଢଙ୍ଗରେ ଜଗାଙ୍କ ଅନୁଗତ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ ଅଚାନକ ବଦଳି କରାଗଲା ତାକୁ ନେଇ ଜଗାଙ୍କ ଶିବିର ଅସନ୍ତୁଷ୍ଟ ଅଛନ୍ତି । ଏହା ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚାରେ ଜଣେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବାକୁ ନେଇ ମଧ୍ୟ ଜଗା ଆପତ୍ତି ଉଠାଇଥିଲେ । ଦଳୀୟ ସମ୍ବିଧାନ ଅନୁସାରେ ଏଭଳି କୌଣସି ପଦବି ନାହିଁ । କିନ୍ତୁ ତାଙ୍କୁ ଚେକ୍‌ ଦେବା ପାଇଁ ଜାଣିଶୁଣି ଏହି ପଦରେ ଜଣଙ୍କୁ ନିଯୁକ୍ତ କରାଗଲା । ଏହାକୁ ନେଇ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କ ପାଖରେ ସେ ଫେରାଦ ହୋଇଥିଲେ । କିନ୍ତୁ କୌଣସି ଫଳ ମିଳିଲାନି । ଏହାକୁ ଏବେ ପ୍ରସଙ୍ଗ କରିଛନ୍ତି ଜଗା । ଦଳର କିଛି ନେତା ଦଳକୁ ତଳିତଳାନ୍ତ ପାଇଁ ମସୁଧା କରୁଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଗୋଷ୍ଠୀକନ୍ଦଳ ବଢାଇବାକୁ ଚାହୁଁଛନ୍ତି ବୋଲି ଜଗା ସିଧାସଳଖ ଆକ୍ଷେପ କରିଛନ୍ତି ।

ଗତ କିଛି ଦିନ ତଳେ ସାଂସଦ ଅପରାଜିତା ଓ ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଜଗାଙ୍କ ପାଖକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ । ଜଗାଙ୍କ ମାନଭଞ୍ଜନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶୀର୍ଷ ନେତୃତ୍ୱଠାରୁ ଆଶ୍ୱାସନା ନ ମିଳିବା ଯାଏ ସେ ତାଙ୍କ ଜିଦ୍‌ରେ ଅଟଳ ରହିବେ ବୋଲି ସିଧା ସିଧା ଶୁଣାଇ ଦେଇଥିଲେ । ଯାହା ସୂଚନା ମିଳିଛି, ଏବେ ଯାଏ ଦଳର ଶୀର୍ଷ ନେତୃତ୍ୱ ଜଗାଙ୍କୁ ମନାଇବାକୁ ଚେଷ୍ଟା କରିନାହାନ୍ତି । ସେପଟେ ବିଜେଡି ଶିବିର ଜଗାଙ୍କ ସହ ନିୟମିତ ଯୋଗାଯୋଗରେ ଅଛି । ଗତ ନିର୍ବାଚନରେ ଜଗାଙ୍କ କସରତ ଯୋଗୁ ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରଦର୍ଶନ ବେଶ୍‌ ଭଲ ହୋଇଥିଲା । ଏଣୁ ସେ ବିଜେଡିକୁ ଆସିଲେ ଆସେଟ୍‌ ହୋଇପାରନ୍ତି ବୋଲି କୁହାଯାଉଛି । ଏହି ସୁଯୋଗକୁ ବିଜେଡି ଶିବିର ହାତଛଡା କରିବାକୁ ଚାହୁଁନି ।

ବିଜେଡିରେ ମିଶିବା ନେଇ ଜଗା କହିଛନ୍ତି, ମୁଁ ଦୀର୍ଘ ବର୍ଷ ଧରି ବିଜେପି ପାଇଁ ନିଷ୍ଠାପର ଭାବେ କାମ କରିଛି । ଏଣୁ ଦଳ ଛାଡି ରାତାରାତ୍‌ ଆଉ କେଉଁ ଦଳରେ ମିଶିବା ପାଇଁ ଚାହୁଁନି । ମୁଁ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ଓ ଦଳର ନେତୃତ୍ୱ ଏହାକୁ ଶୁଣିବ ବୋଲି ମୁଁ ଆଶା ରଖିଛି । ଯଦି ପୂରଣ ନ ହୁଏ ତା ହେଲେ ବାଧ୍ୟ ହୋଇ ବିକଳ୍ପ ଚିନ୍ତା କରିବି ବୋଲି ସେ କହିଛନ୍ତି ।

Spread the love