ଲୁଧିଆନାରେ ରଥଯାତ୍ରା ବନ୍ଦ କଲା ଇସ୍କନ

ଅଦିନିଆ ରଥଯାତ୍ରା ପାଳନରୁ ଓହରିଲା ଇସ୍କନ। ପଞ୍ଜାବର ଲୁଧିଆନାରେ ନଭେମ୍ବର ମାସରେ ଇସ୍କନ୍‌ ପକ୍ଷରୁ ହେବାକୁ ଥିବା ରଥଯାତ୍ରା ପାଳନକୁ ବନ୍ଦ କରାଯାଇଛି। ଇସ୍କନ ଲୁଧିଆନା ଶାଖାର ସଭାପତି ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଜଗନ୍ନାଥ ପ୍ରେମୀଙ୍କ ଭାବନା ଓ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ଏହି ରଥଯାତ୍ରା ବନ୍ଦ କରାଯାଇଛି ବୋଲି ସେମାନେ କହିଛନ୍ତି। ଏଣିକି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯିବ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଅର୍ଥାତ ପୁରୀ ରଥଯାତ୍ରାର ତିଥି ଅନୁସାରେ ସେଠାରେ ରଥଯାତ୍ରା ପାଳନ କରାଯିବ। ଅନ୍ୟପକ୍ଷରେ ଏହି ଅଦିନିଆ ରଥଯାତ୍ରା ବିରୋଧରେ ପୁରୀ ଓ ରାଉରକେଲାରେ ୩ଟି ମାମଲା ମଧ୍ୟ ରୁଜୁ ହୋଇଥିଲା।ଉଲ୍ଳେଖଯୋଗ୍ୟ କି, ଏଭଳି ଅଦିନିଆ ରଥଯାତ୍ରା ବନ୍ଦ ହେବା ଦାବି ବିଧାନସଭାରେ ଉପସ୍ଥାପିତ କରିଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ତିଥିରେ ପୃଥିବୀର ସମସ୍ତ ସ୍ଥାନରେ ରଥଯାତ୍ରା ପାଳିତ ହେଉ ବୋଲି ସେ ଦାବି କରିଥିଲେ।

Spread the love