କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମନ ପରିବର୍ତ୍ତନ କଲେ ଜଗା

ଭୁବନେଶ୍ୱର, ଗତକାଲି ସଂଧ୍ୟାରେ ଦଳରୁ ଇସ୍ତଫା ଦେଇଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ୨୪ ଘଣ୍ଟା ପୂରୁଣୁ ଆଜି ତାଙ୍କର ଇସ୍ତଫାପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଜଗନ୍ନାଥଙ୍କର ଯତି ପଡୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର ସଂଗଠନରେ ଜଗନ୍ନାଥଙ୍କର କାଟତି ସତ୍ତ୍ୱେ ଜିଲ୍ଲା ସଭାପତି ଚୟନରେ ତାଙ୍କୁ କୁଆଡ଼େ ଅଣଦେଖା କରାଯାଇଥିଲା।ଗତ ସୋମବାର ସଂଧ୍ୟାରେ ସଭାପତିଙ୍କ ସହ ତାଙ୍କର ଏକ ବୈଠକ ହୋଇଥିଲା । ସର୍ବସମ୍ମତି ଭାବେ ଜିଲ୍ଲା ସଭାପତି ଚୟନ କରିବାକୁ ଜଗନ୍ନାଥ ପ୍ରସ୍ତାବ ଦେଇଥିଲେ । ମାତ୍ର ତାଙ୍କର ମତାମତ ନ ନେଇ ବାବୁ ସିଂଙ୍କୁ ଜିଲ୍ଲା ସଭାପତି ଚୟନ କରାଯିବା କଥାଟାକୁ ଜଗନ୍ନାଥ ସହଜରେ ଗ୍ରହଣ କରିପାରି ନ ଥିବା ତାଙ୍କ ସମର୍ଥକ ମହଲରୁ ଜଣାପଡ଼ିଛି। ସଭାପତିଙ୍କ ତଥାକଥିତ ମନମାନିରେ କ୍ଷୁବ୍ଧ ହୋଇପଡ଼ିଥିବା ଜଗନ୍ନାଥ ପ୍ରଥମେ ନିଜ ଫେସବୁକ୍ ରେ ଦଳରୁ ଇସ୍ତଫା ଦେବାକୁ ମନସ୍ଥ କରିଥିବା ପୋଷ୍ଟ୍ କରିଥିଲେ । ମାତ୍ର କିଛି ସମୟରେ ଏହାକୁ ଡିଲିଟ୍ କରିଦେଇଥିଲେ । ସଂଧ୍ୟାରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ବେଳକୁ ସଭାପତିଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ସାରିଥିଲେ ଜଗନ୍ନାଥ । ଇସ୍ତଫାପତ୍ରରେ କୌଣସି କାରଣ ଦର୍ଶାଇ ନ ଥିଲେ ମଧ୍ୟ ଗଣମାଧ୍ୟମରେ ନିଜର ଅସନ୍ତୋଷ ଝାଡ଼ିଥିଲେ । ତେବେ ରାତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଅସନ୍ତୋଷ ଦୂର କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ଇସ୍ତଫାପତ୍ର ଫେରାଇ ନେବାକୁ ବୁଝାଇ ଅଭିମାନ ଭାଙ୍ଗିଥିଲେ । ସମୀର ମହାନ୍ତି ମଧ୍ୟ ତାଙ୍କ ସହ କଥା ହୋଇ ରାଗ ଭାଙ୍ଗିଥିଲେ ।

Spread the love