ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ସମନ୍ବୟ ବୈଠକ

ଆରଡି :  ଆସନ୍ତା ମାର୍ଚ୍ଚ ୧ରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା । ଏଥିପାଇଁ ଆଜି ଅପରାହ୍ଣରେ ଭଦ୍ରକ ଜିଲ୍ଲାପାଳ ତଥା ଜାଗରଯାତ୍ରା କମିଟିର ଅଧ୍ୟକ୍ଷ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖଙ୍କୁ ନେଇ ୨ୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିର ପରିସରରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବୁଲି ଦେଖିଥିଲେ। ପରେ ପ୍ରସିଦ୍ଧ ଜାଗରଯାତ୍ରାରେ ହେବାକୁ ଥିବା ନୀତିକାନ୍ତି ବାବଦରେ ସେବାୟତଙ୍କ ଆଲୋଚନା କରିଥିଲେ । ମହାମାରୀ କରୋନାର ପ୍ରକୋପ ବର୍ତ୍ତମାନ କମ ଥିବାରୁ ସେବାୟତମାନେ ଚଳିତ ଜାଗର ଯାତ୍ରାରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଥିଲେ।ତେବେ ମାର୍ଚ୍ଚମାସ ପାଇଁ ନୂଆ ମାର୍ଗଦର୍ଶିକା ଆସୁନଥିବାରୁ ଚଳିତବର୍ଷ ପୂର୍ବବର୍ଷ ଭଳି ପୀଠର ଆଖପାଖ ୪ଟି ପଞ୍ଚାୟତର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ଜାଗରଯାତ୍ରା ପାଇଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି । ବିଶେଷକରି ଗମନାଗମନ ନିମନ୍ତେ ସମସ୍ତ ରାସ୍ତାର ମରାମତି ସହ ପାନୀୟଜଳ, ସ୍ବାସ୍ଥ୍ୟ, ପରିମଳ, ଆଲୋକ ଆଦିର ସୁବ୍ୟବସ୍ଥା କରିବାପାଇଁ ପ୍ରଥମ ସମନ୍ବୟ ବୈଠକରେ ଆଲୋଚନା ହୋଇଥିଲା । ଯାତ୍ରା ଆଉମାତ୍ର ୬ଦିନ ରହିଥିବାରୁ ବକେୟା ଥିବା କାର୍ଯ୍ୟ ତୁରନ୍ତ ସାରିବା ପାଇଁ ବୁଧବାର ମନ୍ଦିର ପରିସରରେ ବସିଥିବା ୨ୟ ସମନ୍ବୟ ବୈଠକରେ ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ଶ୍ରୀ ପାତ୍ର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଜାଗରଯାତ୍ରା ଦିନ ହେବାକୁ ଥିବା ସ୍ବତନ୍ତ୍ର ନୀତିକାନ୍ତି ସୁଚାର ରୂପେ ସମ୍ପନ୍ନ କରିବା ପାଇଁ ସେବାୟତଙ୍କ ସହ ଟ୍ରଷ୍ଟି ଶ୍ରୀ ପାତ୍ର ଆଲୋଚନା କରିଥିଲେ। ମନ୍ଦିରର ପରମ୍ପରା ଅନୁଯାୟୀ ରାତ୍ର ୧ଟାରେ ମଣିବାବାଙ୍କର ସୁନାବେଶ ଅନୁଷ୍ଠିତ ହେବା ସହ ଭୋର ୫ଟାରେ ମନ୍ଦିରଚୂଡାକୁ ମହାଦୀପ ଉଠିବ। କରୋନା କଟକଣା ବଳବତ୍ତର ରହିଥିବାରୁ ଚଳିତବର୍ଷ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ବୋଲି ଟ୍ରଷ୍ଟି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Spread the love