ଯାଜପୁର ପୋଲିସ ତଦନ୍ତକୁ ବାଟମଣା କରିବା ପାଇଁ ଉଦ୍ୟମ ଚଲାଇଛି :ବିଜେପି

ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁ ବ୍ୟତୀତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଏବଂ ରାମକୋ ସିଂମେଟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଥିଲେ । ଘଟଣାରେ ରୂପେଶ ଭଦ୍ରକୁ ଗିରଫ କରାଯାଇଥିବା ସମୟରେ ଆଉ ୪ ଜଣଙ୍କୁ ପୋଲିସ କଣ ପାଇଁ ଗିରଫ କଲା ନାହିଁ ? ଅଧିକନ୍ତୁ ସେମାନଙ୍କୁ ତଦନ୍ତ ପରିସର ଭିତରକୁ ମଧ୍ୟ ପୋଲିସ ଆଣିନାହିଁ କିମ୍ବା ସେମାନଙ୍କୁ ପଚରାଉଚରା କରିନାହିଁ । ଏହି ସମୟରେ ମୃତକ ସ୍ମିତାରାଣୀଙ୍କ ସ୍ୱାମୀ ସୁଶିଲ ବିଶ୍ୱାଳ ଏବଂ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ତାଙ୍କର ୨ ଭାଇଙ୍କୁ ଘଂଟା ଘଂଟା ଧରି ବସାଇ ପାଣି ଟୋପେ ନଦେଇ, ତାଙ୍କୁ ଅମାନୁଷିକ ଭାବେ ମାନସିକ ସ୍ତରରେ ନିର୍ଯ୍ୟାତନା ଦେବା କେଉଁ ତଦନ୍ତର ପରିସର ଭିତରେ ଅନ୍ତର୍ଭୃକ୍ତ ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ସ୍ମିତାରାଣୀର ହତ୍ୟା ବେଳେ ଗେଷ୍ଟ ହାଉସରେ ଥିବା ବିଜେଡି ନେତା ଏବଂ ରାମକୋ ଅଧିକାରୀଙ୍କୁ ଜେରା ନକରି ପୋଲିସ ମୃତକଙ୍କ ସ୍ୱାମୀଙ୍କୁ ଜେରା କରୁଛି । ଯେଉଁ ଗେଷ୍ଟ ହାଉସରେ ଏଭଳି ହତ୍ୟାକାଣ୍ଡ ଘଟିଛି ସେ ଘରକୁ ପୋଲିସ ଏପର୍ଯ୍ୟନ୍ତ ସିଲ୍ କରିନାହିଁ । ସେହିପରି ମରଶରୀର ବୁହା ହୋଇଥିବା ସ୍କୋର୍ପିଓ ଗାଡିକୁ ପୋଲିସ ଜବତ କରିନାହିଁ । ଏହି ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ହାତ ରହିଛି ବୋଲି ଜଣାପଡୁଛି । ତେଣୁ ଏହା ମଧ୍ୟ ଅନୁସନ୍ଧାନ ପରିସରଭୁକ୍ତ ହେଉ କି, ରାମ୍କୋର କିଏ ଓ କାହିଁକି ସେ ଗେଷ୍ଟ ହାଉସକୁ ଆସିଥିଲେ? ତାଙ୍କ ଏହି ହତ୍ୟାକାଣ୍ଡରେ କି ସଂପୃକ୍ତି ରହିଛି? ସ୍ମିତାରାଣୀଙ୍କ ସହ ଗଣଦୁର୍ଷ୍କମ ହୋଇଛି ଏବଂ ତାଙ୍କୁ ଗେଷ୍ଟ ହାଉସ ଯିବା ପାଇଁ ସରପଂଚଙ୍କ ସ୍ୱାମୀ କାହିଁକି ବାଧ୍ୟ କରିଥିଲେ ? ବାକି ସେ ଗେଷ୍ଟ ହାଉସରେ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କୁ କାହିଁକି ତଦନ୍ତ ପରିସରଭୃକ୍ତ କରାଯାଉ ନାହିଁ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ପୂର୍ବରୁ ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଆଉ ଏବେ ଯାଜପୁର ପୋଲିସ ମୃତକ ସ୍ମିତାରାଣୀଙ୍କ ସ୍ୱାମୀ ଏବଂ ପରିବାର ଲୋକଙ୍କୁ ଘଂଟା ଘଂଟା ଧରି ଜେରା କରି ଚାପ ପକାଇ କେସକୁ ବାଟମଣା କରିବା ପାଇଁ ପ୍ରାଣପଣେ ଉଦ୍ୟମ ଚଲାଇଛି । ତୃତୀୟ ମହଲା, ଜିଲ୍ଲା ପ୍ରଶାସନ, ବିଜେଡି ଦଳ ସହ ରାମକୋ ଅଧିକାରୀଙ୍କ କି ମଧୁର ସଂପର୍କ ରହିଛି ଯେ, ପୋଲିସ ଘଟଣାକୁ ଚାପି ଦେବା ପାଇଁ ଷଡଯନ୍ତ୍ର ଚଲାଇଛି । ମୁଖ୍ୟ ଅଭିଯୁକ୍ତମାନଙ୍କୁ ନଧରି ସରଳ ନିରୀହ ଲୋକଙ୍କ ଉପରେ ପୋଲିସ ନିର୍ଯ୍ୟାତନା ଦେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ର୍ଦୁଭାଗ୍ୟଜନକ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

Spread the love