ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ କଟକଣା: ବିନା ପୁରୁଷରେ ପ୍ରବେଶ ମନା

ନୂଆଦିଲ୍ଲୀ: ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ ଲାଗିଲା କଟକଣା। ବିନା ପୁରୁଷରେ ମହିଳାଙ୍କର ସ୍‌ଜିଦ୍‌ ଭିତରକୁ ପ୍ରବେଶ ମନା ହୋଇଛି। ଏହି ନିର୍ଦ୍ଦେଶ ଦେଇଛି ଜାମା ମସଜିଦ ପରିଚାଳନା କମିଟି। ଏକୁଟିଆ ହୁଅନ୍ତୁ କିମ୍ବା ଗ୍ରୁପ୍‌ରେ ଆସନ୍ତୁ ବିନା ପୁରୁଷରେ ମହିଳାମାନେ ମିସ୍‌ଜିଦ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ। ପ୍ରବେଶ କରିବାକୁ ହେଲେ ପରିବାରର କୌଣସି ପୁରୁଷଙ୍କ ସହିତ ମହିଳାଙ୍କୁ ଆସିବାକୁ ପଡ଼ିବ ବୋଲି ମସ୍‌ଜିଦ ପକ୍ଷରୁ କୁହାଯାଇଛି।

ଏନେଇ ମସ୍‌ଜିଦ୍‌ ଗେଟ୍‌ ବାହାରେ ଏକ ନୋଟିସ୍ ଜାରି ଲଗାଯାଇଛି। ଗତ କିଛିଦିନ ହେଲା ଏଭଳି ନୋଟିସ୍ ଲାଗିବା ପରେ ମମଲା ଦିଲ୍ଲୀ ମହିଳା କମିଶନ ପାଖରେ ପହଞ୍ଚିଛି। ଏନେଇ ଖୁବ୍‌ଶୀଘ୍ର ମସ୍‌ଜିଦ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରାଯିବ। ମହିଳାଙ୍କ ଉପରେ ଏଭଳି ବ୍ୟାନ୍ ଲଗାଇବା କାହାରି ଅଧିକାର ନାହିଁ ବୋଲି ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ କହିଛନ୍ତି।  

ଅନ୍ୟପଟେ ଏଭଳି ତାଲିବାନୀ ହୁକୁମକୁ ସମର୍ଥନ କରିଛନ୍ତି ମସ୍‌ଜିଦ୍‌ ଲୋକସମ୍ପର୍କ ଅଫିସର ସବିଉଲ୍ଲା ଖାନ। ନମାଜ ସମୟରେ ଭିଡିଓ ଶୁଟ୍ କରାଯାଉଥିବାରୁ ଅନ୍ୟମାନଙ୍କୁ ନମାଜ ପଢ଼ିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ମହିଳାଙ୍କୁ ସୋସିଆଲ୍‌ ମିଡିଆ ପାଇଁ ଭିଡିଓ ଶୁଟ୍ କରିବାକୁ ରୋକିବାକୁ ଏମିତି ନିଷ୍ପତ୍ତି ନିଆଯାଇଛି ବୋଲି ସବିଉଲ୍ଲା କହିଛନ୍ତି। ତେବେ ପରିବାର ଓ ବିବାହିତଙ୍କ ପାଇଁ କୌଣସି କଟକଣା ନାହିଁ ବୋଲି ସେ କହିଛନ୍ତି।  

Spread the love