ଜମି ବିକି ସ୍ତ୍ରୀ ଆକାଉଣ୍ଟରେ ଜମା କଲେ ୩୯ ଲକ୍ଷ: ୧୧ ଟଙ୍କା ଛାଡି ଦେଇ ପଡୋଶୀ ଯୁବକ ସହ ଫେରାର ହୋଇଗଲେ ମହିଳା

ପାଟନା ୨୫/୦୮ : ବାହାଘର ପୂର୍ବରୁ ପରସ୍ପରକୁ ନ ଜାଣି ନ ଚିହ୍ନି ପୁରୁଷ ଓ ମହିଳା ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି ଓ ସତ ଜନ୍ମର ସାଥି ହୋଇଥାନ୍ତି। ଏହାପରେ ଆରମ୍ଭ ହୁଏ ଦୁହିଁଙ୍କର ବିଶ୍ୱାସର ସମ୍ପର୍କ। ଦୁହିଁଙ୍କ ମଧ୍ୟରୁ ଜଣକ ବିଶ୍ୱାସ ଭାଙ୍ଗିଗଲେ ମଧ୍ୟ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ବିହାରରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କର ୧୪ ବର୍ଷ ପୂର୍ବରୁ ବାହାଘର ହୋଇଥିଲା। ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନ ହସଖୁସିରେ ଚାଲିଥିଲା। ଦୁହେଁ ମିଶି ସହରରେ ଘର କରିବାକୁ ସ୍ବପ୍ନ ଦେଖିଥିଲେ। ସେଥିପାଇଁ ସ୍ୱାମୀ ଗାଁରେ ଜମି ବିକିଦେଲେ। ଜମି ବିକି ଯେଉଁ ଟଙ୍କା ପାଇଲେ ତାକୁ ସେ ସ୍ତ୍ରୀ ଆକାଉଣ୍ଟରେ ଜମା କରିଦେଲେ। କିନ୍ତୁ ସେ ଜାଣିନଥିଲେ ସ୍ତ୍ରୀ ଏମିତି ବଦଳିଯିବ ଓ ସେ ଧୋକାବାଜ ହେଇଯିବ। ସ୍ତ୍ରୀ ଆକାଉଣ୍ଟରେ ୧୧ ଟଙ୍କା ଛାଡି ଦେଇ ବାକି ସବୁତକ ଟଙ୍କା ନେଇ ନିଜ ପ୍ରେମିକ ସହ ଫେରାର ହୋଇଗଲେ। ସ୍ୱାମୀ ଏକଥା ଜାଣିବା ପରେ ତାଙ୍କ ମୁଣ୍ଡରେ ଚଡକ ପଡିଥିଲା।

ମାମଲା ବିହାର ପାଟନାର। ୧୪ ବର୍ଷ ପୂର୍ବରୁ କୌଡିୟା ଗାଁରେ ରହୁଥିବା ବ୍ରଜକିଶୋର ସିଂହଙ୍କ ବାହାଘର ଭୋଜପୁରର ପ୍ରଭାବତୀଙ୍କ ସହ ହୋଇଥିଲା। ବ୍ରଜକିଶୋର ଗାଁରେ ଚାଷ କରୁଥିଲେ ଓ ଭଡା ଘରେ ରହୁଥିଲେ। କିଛି ଦିନ ପରେ ସେ ଚାଷ କାମ ଛାଡି ଦେଇ ଅଧିକ ରୋଜଗାର ପାଇଁ ଗୁଜରାଟ ଚାଲିଗଲେ। ଗୁଜରାଟରେ କାମ କରି ସେ ନିଜ ସ୍ତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ। ସେହି ଟଙ୍କାରେ ପରିବାର ଭରଣପୋଷଣ ହେଉଥିଲା। ଇତି ମଧ୍ୟରେ ପଡିଶାରେ ରହୁଥିବା ଜଣେ ଯୁବକ ସହ ସ୍ତ୍ରୀର ସମ୍ପର୍କ ଗଢିଉଠିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢିଉଠିଥିଲା। ସ୍ୱାମୀ ଦୁହିଁଙ୍କ ସମ୍ପର୍କ ବିଷୟରେ କିଛି ଜାଣିନଥିଲେ। ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା।

ବ୍ରଜକିଶୋରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଅ-ଝିଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବ୍ରଜକିଶୋର ସହରରେ ବାସ କରିବାକୁ ବିଚାର କଲେ। ଏଥିପାଇଁ ଅଧିକ ଟଙ୍କା ଆବଶ୍ୟକ। ସେ ଚାଷ କାମ ଛାଡି ଜମି ବିକ୍ରି କରିଦେଲେ। ଜମି ବିକି ତାଙ୍କୁ ୩୯ ଲକ୍ଷ ଟଙ୍କା ମିଳିଥିଲା। ସବୁତକ ଟଙ୍କା ସେ ସ୍ତ୍ରୀ ଆକାଉଣ୍ଟରେ ଜମା କରିଦେଲେ। ତାପରେ କାମ କରିବାକୁ ଗୁଜରାଟ ଚାଲିଗଲେ। ଯେତେବେଳେ ଗୁଜରାଟରୁ ଫେରିଲେ ଦେଖିଲେ ଘରେ ତାଲା ପଡିଛି। ସେ ଘର ମାଲିକକୁ ଯାଇ ପଚାରିଥିଲେ। ଘର ମାଲିକ କହିଥିଲା ପ୍ରଭାବତୀ ଝିଅକୁ ଧରି ସେଠାରୁ ଚାଲିଯାଇଛି। ଏହା ଶୁଣି ବ୍ରଜକିଶୋର ନିଜ ସମ୍ପର୍କୀୟଙ୍କୁ ସ୍ତ୍ରୀ ଓ ଝିଅ ବିଷୟରେ କହିଥିଲେ। କୌଣସି ପ୍ରକାରେ ସେ ପୁଅକୁ ପାଇଲେ ଓ ଘରକୁ ନେଇ ଆସିଲେ। ଯେତେବେଳେ ଆକାଉଣ୍ଟ ଚେକ କଲେ ତାଙ୍କ ହୋସ ଉଡ଼ିଗଲା। ଆକାଉଣ୍ଟରେ ମାତ୍ର ୧୧ ଟଙ୍କା ଥିଲା।

ଆକାଉଣ୍ଟ ଖାଲି ଥିବା ଦେଖି ସେ ଚିନ୍ତାରେ ପଡିଗଲେ ଓ ଥାନାରେ ଯାଇ ପହଞ୍ଚିଲେ ଓ ପୋଲିସକୁ ସବୁ କଥା କହିଥିଲେ। ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଲେ ପ୍ରଭାବତୀଙ୍କର ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଥିଲା। ସେ ୨୬ ଲକ୍ଷ ଟଙ୍କା ଡେହରୀର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି ଓ ୧୩ ଲକ୍ଷ ଟଙ୍କା ଚେକ ମାଧ୍ୟମରେ ବାହାର କରିଛନ୍ତି। ପୋଲିସ ମାମଲାର ତଦନ୍ତ ଜାରି ରଖିଛି।

Spread the love