କେବଳ ସାମୂହିକ ବିକାଶ ନୁହେଁ ପ୍ରତ୍ୟକ୍ଷ ବ୍ୟକ୍ତି ପିଛା କଲ୍ୟାଣକାରୀଯୋଜନା କରି ଉଦାହରଣ ତିଆରି କରିଛନ୍ତି ମୋଦି : ଧର୍ମେନ୍ଦ୍ର ପ୍ରଧାନ

ଜନଜାତି ଓ ଦଳିତଙ୍କ ପାଖରେ ମୋଦିଙ୍କ ଯୋଜନାର ବାର୍ତା ପହଁଚାଇବାକୁ ଆହ୍ୱାନ
ଗରିବଙ୍କ ପ୍ରତି ଥିବା ନିଜର ସମ୍ବେଦନଶୀଳତାକୁ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ
ସବକା ସାଥ୍‌, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ମୂଳମନ୍ତ୍ର କରି ସମସ୍ତଙ୍କ ବିକାଶ ମୋଦି  ସରକାରର ପ୍ରାଥମିକତା
ପ୍ରଧାନମନ୍ତ୍ରୀ ଲଦାଖ ଗସ୍ତରେ ଯାଇ ବିସ୍ତାରବାଦି ରାଜନୀତି ଶେଷ ଓ ବିକାଶର ରାଜନୀତି ଆରମ୍ଭର ବାର୍ତା ଦେଇଛନ୍ତି

ଭୁବନେଶ୍ୱର, ତା.୦୪/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ରାସ୍ତାଘାଟ, ରେଳ, ବିମାନ  ସେବା ଓ ଶିଳ୍ପ କ୍ଷେତ୍ରରେ କେବଳ ସାମୂହିକ ବିକାଶ କରିବା ନୁହେଁ ବରଂ ପ୍ରତ୍ୟକ୍ଷ ଘର ଏବଂ ବ୍ୟକ୍ତି ପିଛା କଲ୍ୟାଣକାରୀ ଯୋଜନା କରି ନୂଆ ଉଦାହରଣ ତିଆରି କରିପାରିଛନ୍ତି ବୋଲି ରାଜ୍ୟସ୍ତରୀୟ ଅନୁସୂଚିତ ଜାତି  ଜନ ସମ୍ବାଦ ଭର୍ଚୁଆଲ ରାଲିରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସେହିପରି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏହି  କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ସରକାର ଜନଜାତି, ଦଳିତ, ଆର୍ଥିକ ପଛୁଆ ଶ୍ରେଣୀର ଲୋକମାନଙ୍କ କଲ୍ୟାଣ  ପାଇଁ ସମର୍ପିତ ବୋଲି ବିଜେପି ଏସି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିନୋଦ ସୋନକାର କହିଛନ୍ତି । କରୋନା ସମୟରେ
ପ୍ରଧାନମନ୍ତ୍ରୀଙ୍କ ସଠିକ୍ ଦିଗରେ ସଠିକ୍ ପଦକ୍ଷେପ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମାଜକୁ ଲାଭ ଦେଇଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଜନଜାତିଙ୍କୁ ସଶକ୍ତ କରିଛି ବୋଲି ଏସି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ ପରିବାରରୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତିକୁ ପୂରଣ  କରିଛନ୍ତି । ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜଳା  ଯୋଜନାରେ ଗ୍ୟାସ ଯୋଗାଇବା ସହ ସୌଭାଗ୍ୟ ଯୋଜନାରେ ବିଜୁଳି ପହଁଚାଇବାର ବ୍ୟବସ୍ଥା କରିଛନ୍ତି । କରୋନା ।ସମୟରେ ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ଗରିବଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ ଓ  ପରିବାର ପିଛା ୧ କେଜି ଡାଲି ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଜନଧନରେ ମହିଳାଙ୍କୁ ଟଙ୍କା ପଠାଇବା ସହ
ଦିବ୍ୟାଙ୍ଗ, ବିଧବା ମହିଳାଙ୍କୁ ସିଧାସଳଖ ବ୍ୟାଙ୍କ୍ ଆକାଉଂଟ ଜରିଆରେ ଭତା ପ୍ରଦାନ କରିଛନ୍ତି।

ଗରିବ ସପକ୍ଷବାଦୀ ନୀତି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗରିବଙ୍କ ପ୍ରତି
ଥିବା ନିଜର ସମ୍ବେଦନଶୀଳତାକୁ ଦର୍ଶାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସବକା ସାଥ୍‌, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ମୂଳ ମନ୍ତ୍ର କରି ସମସ୍ତଙ୍କ ବିକାଶ କରିବା ମୋଦି ସରକାରର ପ୍ରାଥମିକତା । ୨୦୨୨ ସୁଦ୍ଧା କେବଳ ଗୋଟିଏ ବର୍ଗଙ୍କର ଘର ବନେଇବା କଥା ନୁହେଁ ସମସ୍ତଙ୍କ ପାଇଁ ଘର ବନାଯିବ ଏପରି ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ରଖିଛନ୍ତି । ଏପରି ମହତ୍ୱକାଂକ୍ଷୀ ଯୋଜନା ଜଣେ ଦୃଢ ନେତୃତ୍ୱ କାରଣରୁ ସମ୍ଭବ ହୋଇପାରିଛି । ଏହି ଅବସରରେ ଶ୍ରୀ ପ୍ରଧାନ ଘରେ ଘରେ ତଥା ଜନଜାତି, ଦଳିତ ବର୍ଗଙ୍କ ପାଖରେ ମୋଦିଙ୍କ କଲ୍ୟାଣକାରୀ ଯୋଜନାର ବାର୍ତା ପହଁଚାଇବାକୁ ଆହ୍ୱାନ କରିଥିଲେ । ଭାରତ ଓ ଚୀନ ତିକ୍ତତା ସମ୍ପର୍କରେ ଅନେକ ଲୋକ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ସୀମାକୁ ଗସ୍ତ କରି ଲଦାଖବାସୀଙ୍କୁ ଆଶ୍ୱାସନା ଦେବା ସହ ଦେଶର ଯବାନମାନଙ୍କ ମନୋବଳକୁ ଦୃଢ଼ କରିଛନ୍ତି । ଏହା ସଙ୍ଗେସଙ୍ଗେ ପଡୋଶୀ ରାଷ୍ଟ୍ର ଚୀନ ଏବଂ ପ୍ରଧାନମନ୍ତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ କରୁଥିବା ଲୋକଙ୍କୁ ସଠିକ୍ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲଦାଖ ଗସ୍ତରେ ଯାଇ ବିସ୍ତାରବାଦି
ରାଜନୀତି ଶେଷ ଓ ବିକାଶର ରାଜନୀତି ଆରମ୍ଭ ହୋଇଛି ବୋଲି ବାର୍ତା ଦେଇଛନ୍ତି । ଏହି କାରଣରୁ ଓଡିଶାର ୯୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କୁ ଭରସା କରୁଛନ୍ତି । ଏହି ଭର୍ଚୁଆଲ ରାଲିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂଆ ରାଜନୀତି ସଂସ୍କୃତିର ଅଧ୍ୟାୟ ଆରମ୍ଭ କରାଯାଇଛି । ଉତରଦାୟିତ୍ୱ ସହ ପ୍ରଧାନମନ୍ତ୍ରୀ କାମ କରୁଛନ୍ତି ବୋଲି କହିଛନ୍ତି ।
ସେହିପରି ବିଜେପି ଏସି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ କହିଛନ୍ତି ଯେ, କଂଗ୍ରେସ ସରକାରରେ ଜନଜାତି ଓ ଦଳିତ ବର୍ଗର ଲୋକମାନମାନଙ୍କୁ ଅବହେଳା କରାଯାଉଥିଲା ମାତ୍ର ମୋଦି ସରକାରରେ ସେମାନଙ୍କ ନିମନ୍ତେ କଲ୍ୟାଣକାରୀ ଯୋଜନା କରାଯାଇ ସେମାନଙ୍କୁ ସଶକ୍ତ କରାଯାଇଛି । ମୋଦି ସରକାର ସେମାନଙ୍କ ସମ୍ମାନ ବଢାଇଛନ୍ତି ବୋଲି ଶ୍ରୀ ତରାଇ କହିଛନ୍ତି । ଜନସମ୍ବାଦ ରାଲିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଏସି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି  ସୁଶାନ୍ତ ମଲ୍ଲିକ, ମୋର୍ଚ୍ଚା ପ୍ରଭାରୀ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love