ଜନତା କର୍ଫ୍ୟୁ : ତାଳି ମାରି, ଥାଳି ବଜାଇ କୃତଜ୍ଞତା ଜଣେଇଲେ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଜନତା କର୍ଫ୍ୟୁର ଜୋର୍‌ଦାର ପ୍ରଭାବ ଦେଖିବାକୁ ମିଳିଥିଲା। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ପାଇଁ ଆହ୍ବାନ ଦେଇଥିବା ବେଳେ ଆଜି ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଶୂନ୍‌ଶାନ୍ ଲାଗୁଥିଲା। ପୂରାପୂରି କର୍ଫ୍ୟୁ ଭଳି ସ୍ଥିତି ଥିଲା। ତେବେ ସନ୍ଧ୍ୟାରେ ଲୋକଙ୍କ ତାଳି, ଥାଳି ଶବ୍ଦରେ ନିରବତା ଭଂଗ ହୋଇଥିଲା। କମ୍ପି ଉଠିଥିଲା ଅଂଚଳ। ଲୋକେ ସେବାପ୍ରଦାନକାରୀ ସଂସ୍ଥା କର୍ମୀମାନଙ୍କୁ ନିଅାରା ଢଂଗରେ କୃତଜ୍ଞତା ଜଣାଇଥିଲେ।
ଗତକାଲି ସହର ଚଳଚଞ୍ଚଳ ଥିଲା। ଆଜି ସକାଳ ପର୍ଯ୍ୟନ୍ତ ରାଜରାସ୍ତାରେ ଗାଡ଼ି ଚଳାଚଳ କରୁଥିଲା। କିନ୍ତୁ, ରବିବାର ସକାଳ ୭ଟା ପରେ ରାଜପଥଠାରୁ ଆରମ୍ଭ କରି ସହରର ଗଳିକନ୍ଦି ପର୍ଯ୍ୟନ୍ତ ସବୁ ଶୂନ୍‌ଶାନ୍‌ ହୋଇଯାଇଥିଲା। ଲୋକେ ନିଜ ନିଜ ଘରେ କବାଟ ବନ୍ଦ କରି ରହିଥିଲେ। ବସ୍‌ଷ୍ଟାଣ୍ଡ, ରେଳ‌ଷ୍ଟେସନ ବି ଲାଗୁଥିଲା ଖାଁ ଖାଁ। ସବୁବେଳେ ଭିଡ଼ ରହୁଥିବା କୋଳାହଳମୟ ବଜାର ଅଂଚଳରେ ଆଜି ନିରବତାର ରାଜୁତି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନଗୁଡ଼ିକ ବି ବନ୍ଦ ରହିିଥିବା ଦେଖିବାକୁ ମିଳିଥିଲା। କେବଳ ଅଳ୍ପ କେତେଟା ଔଷଧ ଦୋକାନ ଖୋଲା ରହିଥିଲା। ଔଷଧ ବ୍ୟବସାୟୀ କେବଳ ଦୋକାନ ଖୋଲା କରି ବସି ରହିଥିଲେ। ଅନ୍ୟ ଦିନ ଭଳି ଦୋକାନ ସମ୍ମୁଖରେ ଲୋକଙ୍କ ଭିଡ଼ ନଥିଲା। ତେ‌େବ ଠିକ୍‌ ସନ୍ଧ୍ୟା ୫ଟାରେ ସବୁଆଡ଼େ ଆରମ୍ଭ ହୋଇ ଯାଇଥିଲା ଘଣ୍ଟ, ଶଙ୍ଖ, ଥାଳି ଆଉ ତାଳିର ଶବ୍ଦ। ୫ ମିନିଟରୁ ବେଶୀ ପର୍ଯ୍ୟନ୍ତ ଲୋକେ ନିଜ ଘର କବାଟ, ଝରକା, ବାଲ୍‌କୋନି ନିକଟରେ ଛିଡ଼ା ହୋଇ ଏସବୁ ବଜାଇବା ସହିତ ଡାକ୍ତର ଓ ଡାକ୍ତରଖାନାର କର୍ମଚାରୀ, ପୁଲିସ, ମିଡିଆ ସହିତ ସେବାପ୍ରଦାନକାରୀ ସଂସ୍ଥାର କର୍ମୀମାନଙ୍କୁ କୃତଜ୍ଞତା ଜଣେଇ ଥିଲେ। କୃତଜ୍ଞତା ଜ୍ଞାପନ ପରେ ପୁଣି ଲୋକେ ନିଜ ନିଜ ଘରେ କବାଟ, ଝରକା ବନ୍ଦ କରି ରହିଥିବା ଦେଖିବାକୁ ମିଳିଥିଲା। ରାତି ବି ଶୂନଶାନ୍ ଥିଲା। ରାସ୍ତାରେ କେବଳ ପୁଲିସ ଗାଡ଼ି ବୁଲୁଥିଲା। ପୁଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ଲକ୍‌ ଡାଉନ୍ ଘୋଷଣା ପରିପ୍ରେକ୍ଷୀରେ ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଆଶା କରାଯାଉଛି।

Spread the love