ଜାଣନ୍ତୁ ଚଳିତବର୍ଷ ଦିଲ୍ଲୀ ୨୬ ଜାନୁୟାରୀ ଗଣତନ୍ତ୍ର ଦିବସରେ କ’ଣ ରହିବ ଖାସ୍ ?

ନୂଆଦିଲ୍ଲୀ ୨୫।୧: ରାତିପାହିଲେ ଗଣତନ୍ତ୍ର ଦିବସ। ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବ ଦେଶର ସୌର୍ଯ୍ୟ। ଲୋକେ ଦିନଟିକୁ ବର୍ଷତମାମ ଅପେକ୍ଷା କରି ରହିଥାନ୍ତି। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ କାର୍ଯ୍ୟକ୍ରମରେ ଅନେକ କିଛି ନୂଆ ଦେଖିବାକୁ ମିଳିବ । ପ୍ରଥମ ଥର ଦିଲ୍ଲୀ ଆକାଶ ଥରାଇ ଫ୍ଲାଇ ପାଷ୍ଟ କରିବେ ବାୟୁସେନାର ୭୫ଟି ବିମାନ। ଏତେ ସଂଖ୍ୟକ ଯୁଦ୍ଧବିମାନ ରାଜଧାନୀ ଆକାଶରେ ଫ୍ଲାଇପାଷ୍ଟ କରିବାର ପ୍ରଥମ ଅନୁଭବ କରିବେ ରାଜଧାନୀବାସୀ। ବାୟୁସେନା ବିମାନ ଫ୍ଲାଇପାଷ୍ଟକୁ କକପିଟ୍‌ରୁ ପ୍ରଥମ ଥର ଦେଶବାସୀଙ୍କ ଲାଗି ଦୂରଦର୍ଶନ ସିଧାପ୍ରସାରଣ କରିବେ।

କେବଳ ବାୟୁସେନା ବିମାନଙ୍କ ଫ୍ଲାଇପାଷ୍ଟ ନୁହେଁ ଏଥର ଗଣତନ୍ତ୍ର ଦିବସରେ ୭୫ ମିଟର ଦୀର୍ଘ ୧୦ ସ୍କ୍ରଲ ପ୍ରଦର୍ଶିତ ହେବା ସହ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମର ଲାଇଭ ପ୍ରସାରଣ ଲାଗି ୧୦ଟି ସ୍ଥାନରେ ବଡ଼ ଏଲଇଡି ସ୍କ୍ରିନ ଲଗାଯିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ ଏ ନେଇ ସୂଚନା ଦିଆଯାଇଛି। ଚଳିତବର୍ଷ ଭାରତ ସ୍ୱାଧୀନତାର ୭୫ ତମ ବାର୍ଷିକ ପାଳନ କରୁଛି। ଆାଜାଦୀ କା ଅମୃତ ମହୋତ୍ସବ ନାମରେ ଦେଶରେ ପାଳିତ ହେଉଥିବା ଗଣତନ୍ତ୍ର ଦିବସରେ ଅନେକ କିଛି ନୂଆ ଦେଖିବାକୁ ମିଳିବ।

କାର୍ଯ୍ୟକ୍ରମରେ ଆଜାଦୀ କା ଅମୃତ ମହୋତ୍ସବ ଅଂଶ ଭାବେ ୭୫ଟି ବାୟୁସେନା ବିମାନ ଫ୍ଲାଇପାଷ୍ଟ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ଫ୍ଲାଇପାଷ୍ଟ କାଳରେ କକପିଟ୍‌ର ଭିଡିଓ ଲାଇଭ ପ୍ରଦର୍ଶନ ନିମନ୍ତେ ଦୂରଦର୍ଶନ ସହ ସମନ୍ୱୟ କରାଯାଇଥିବା ରକ୍ଷାମନ୍ତ୍ରାଳୟ କହିଛନ୍ତି। ଏହି ଫ୍ଲାଇପାଷ୍ଟରେ ରାଫଲ, ସୁଖୋଇ, ଜାଗୁଆର, ଏମଆଇ-୧୭, ସାରଙ୍ଗ, ଆପାଚେ, ଡାକୋଟା ଭଳି ପୂରୁଣା ଓ ଅତ୍ୟାଧୁନିକ ବିମାନଙ୍କୁ ସାମିଲ କରାଯାଇଛି।

ଫ୍ଲାଇପାଷ୍ଟ କାଳରେ ଯୁଦ୍ଧବିମାନମାନେ ରାହତ, ମେଘନା, ଏକଲବ୍ୟ, ତ୍ରିଶୂଳ, ତ୍ରିରଙ୍ଗା, ବିଜୟ ଓ ଅମୃତ ସମେତ ବିଭିନ୍ନ ଫର୍ମେଶନର ପ୍ରଦର୍ଶନ କରିବେ। ସେହିପରି ପ୍ରଦର୍ଶିତ ହେବାକୁ ଥିବା ସ୍କ୍ରଲ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ‘କଳାକୁମ୍ଭ’ ଲାଗି ପ୍ରସ୍ତୁତ କରିଥିଲେ। ଏ ଗୁଡିକୁ ଭୁବନେଶ୍ୱର ଓ ଚଣ୍ଡିଗଡରେ ପ୍ରସ୍ତୁତ କରାଯାଇଥିବା ବେଳେ ଦେଶର ୬୦୦ରୁ ଅଧିକ କଳାକାର ତିଆରିଥିଲେ। ସେହିପରି କାର୍ଯ୍ୟକ୍ରମରେ ପ୍ରଥମ ଥର ପ୍ରତିଯୋଗୀତା ମାଧ୍ୟମରେ ମନୋନୀତ ୪୮୦ ନର୍ତକଙ୍କ ଦ୍ୱାରା ପରେଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Spread the love