ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଦାବି ମିଛ, ଏହାକୁ କେବେ ସ୍ୱୀକାର କରାଯିବ ନାହିଁ- ଜର୍ମାନୀ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ:  ଭାରତର ସୀମାରେ ଚୀନର ବିସ୍ତାର ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାର ଉଲ୍ଲଂଘନ ଏବଂ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ଫିଲିପ ଏକରମ୍ୟାନ । ଏହାସହ ଏକରମ୍ୟାନ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ୟୁରୋପର ଆକ୍ରୋଶକୁ ମଧ୍ୟ ବୁଝିବା ଜରୁରୀ । ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜର୍ମାନୀ ରାଷ୍ଟ୍ରଦୂତ ଅରୁଣାଚଳ ପ୍ରଦେଶ ଉପରେ ଚୀନର ଦାବିକୁ ଭୁଲ ବୋଲି କହିଛନ୍ତି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଗତ ୭୦ ବର୍ଷରେ ଦୁନିଆର ସବୁଠୁ ବଡ ଆକ୍ରମଣ ବୋଲି ଏକରମ୍ୟାନ କହିଛନ୍ତି । ଏହାସହ ଏହା ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ ବୋଲି ଭାରତ ମଧ୍ୟ ଭଲ ଭାବରେ ଜାଣିଥିବା ସେ କହିଛନ୍ତି । ସେ କହିଛନ୍ତି, ‘ୟୁକ୍ରେନ ସଂକଟ ଉପରେ ଭାରତ ଏବଂ ୟୁରୋପ ଗୋଟିଏ ବିନ୍ଦୁରେ ସହମତ ହୋଇପାରିବେ ନାହିଁ । କିନ୍ତୁ ସମସ୍ୟାକୁ ଉଭୟ ପକ୍ଷ ଠିକ୍ ବୁଝିଛନ୍ତି’ ।

ସେ କହିଛନ୍ତି, ‘ଆମେ ଉତ୍ତର ସୀମାରେ ଭାରତର ସମସ୍ୟ ସହ ଅବଗତ ଅଛୁ, ଆମେ ଏହା ଭୁଲିବା କଥା ନୁହେଁ ଯେ ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ଅଭିନ୍ନ ଅଙ୍ଗ ବୋଲି ଦାବି କରୁଛି । ଆମେ ସ୍ପଷ୍ଟ ରୂପେ ଦେଖିପାରୁଛୁ ଯେ, ସୀମା ବିସ୍ତାର କରିବା ଅତ୍ୟନ୍ତ କଠିନ ଏବଂ ଏହାକୁ ସ୍ୱୀକାର କରାଯିବ ନାହିଁ’।

Spread the love