ଆଉ ନାହାନ୍ତି ବରିଷ୍ଠ ଯାତ୍ରା ହାସ୍ୟ ଅଭିନେତା ରବି ଶତପଥୀ

ଜଗତସିଂହପୁର: ଓଡ଼ିଆ ଯାତ୍ରା ଜଗତର ବରିଷ୍ଠ କଳାକାର ରବି ଶତପଥୀଙ୍କ ଦେହାନ୍ତ ହୋଇଯାଇଛି। ଆଜି ସନ୍ଧ୍ୟା ୭.୪୦ରେ ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା। ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ।

ରବି ଶତପଥୀ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଅଗପାଳ ପଞ୍ଚାୟତ କଲଦୀପ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏକଦା ଓଡ଼ିଆ ଯାତ୍ରା ଦୁନିଆରେ ଚହଳ ପକାଇଥିବା ‘ଜନତ‌ା ଗଣନାଟ୍ୟ’ର ‘ଶାଗୁଣା ବସିଛି ଡେଲା ମେଲେଇ’ ‌ରେ ସେ ହାସ୍ୟ ଅଭିନେତା ଥିଲେ। ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରି ରବି ଶତପଥି ଦର୍ଶକଙ୍କ ମନ ଜିଣିଥିଲେ।

ସେହିପରି ଗୌରୀ ଗଣନାଟ୍ୟ, କୋଣାର୍କ ଗଣନାନ୍ୟ ଭଳି ‌ଅନେକ ଯାତ୍ରା ଅନୁଷ୍ଠାନରେ ସେ ହାସ୍ୟ ଅଭିନେତା ଭୂମିକାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଯାତ୍ରା ଜଗତରେ କମେଡି କିଙ୍ଗ ରବି ଶତପଥୀଙ୍କ ଅଭିନୟ ଥିବା ନାଟକ ଯେଉଁ ସ୍ଥାନରେ ପଡ଼ିଥାଏ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକଙ୍କ ଖଚାଖଚ ଭିଡ଼ ଲାଗେ। ସେ ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ। ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି କରି ଅନେକ ପୁରସ୍କାର ପାଇଥିଲେ। ରବି ଶତପଥୀଙ୍କ ପରଲୋକରେ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

Spread the love