ସଡ଼କ ଦୁର୍ଘଟଣାରେ ଯବାନ ମୃତ, ଭାଇରାଲ ହେଉଛି ମୃତ୍ୟୁର ୧୦ ମିନିଟ୍ ପୂର୍ବରୁ ଅପଲୋଡ୍ ହୋଇଥିବା ଭିଡିଓ

ସୋରଡା  : କାର୍ଗିଲ ସହିଦ ଦିବସରେ ଯବାନଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯବାନ ଜଣକ ହେଲେ କୁଶରା ଗ୍ରାମର ୨୫ ବର୍ଷ ବୟସ୍କ ଜିତେନ୍ଦ୍ର କୁମାର ପାଢୀ । ସେ ଗତ ଦୁଇ ବର୍ଷ ହେବ ସୀମା ସୁରକ୍ଷା ବାହିନୀରେ ନିଯୁକ୍ତି ପାଇ ପଞ୍ଜାବରେ କାର୍ଯ୍ୟ କରୁଥିଲେ । ସେ ଚଳିତ ମାସ ୬ ତାରିଖରେ ଗାଁକୁ ଛୁଟିରେ ଆସିଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜିତେନ୍ଦ୍ର ସୋରଡା ପଟୁ ନିଜ ଗାଁକୁ ଆସୁଥିବା ବେଳେ ଆସିକାରୁ ସୋରଡା ଅଭିମୁଖେ ଯାଉଥିବା ସାଇକ୍ରିଷ୍ଣା ନାମକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଡ୍ରାଇଭରକୁ ଅଟକ ରଖି ଶବ ବ୍ଯବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠା ଯାଇଛି । ଏପଟେ ମୃତ ଯବାନଙ୍କ ଏକ ରିଲସ ଭିଡିଓ ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବର ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିବା ଦେଖିବାକୁ ମିଳିଛି ।

Spread the love