ଆସିଲା ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ, ମୃତ୍ୟୁ ପଛରେ ଭୟଙ୍କର ଷଡ଼ଯନ୍ତ୍ର ଥିବା ଉଲ୍ଲେଖ

ନୂଆଦିଲ୍ଲୀ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ନେତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ। ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ୨୦୧୭ରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଏ ଅରୁମୁଗସ୍ୱାମୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରିପୋର୍ଟ ସାର୍ବଜନୀନ ହେବା ପରେ ଏହା ସାମ୍ନାକୁ ଆସିଛି। ୫ଶହ ପୃଷ୍ଠାର ରିପୋର୍ଟରେ ଜୟାଙ୍କ ମୃତ୍ୟୁ ପଛରେ ଭୟଙ୍କର ଷଡ଼ଯନ୍ତ୍ର ରଚନା, ତାଙ୍କ ଅସୁସ୍ଥତାକୁ ନେଇ ନାନା ମତ ପ୍ରକାଶ ଓ ଚିକିତ୍ସା ସହ ବିଭିନ୍ନ ଆଇନଗତ ଦାବି ଆଦି ରହିଛି।
ରିପୋର୍ଟରେ ତାଙ୍କ ଘନିଷ୍ଠ ଥିବା ଭିକେ ଶଶୀକଳା, ଜୟାଙ୍କ ବ୍ୟକ୍ତିଗତ ଡାକ୍ତର, ତତ୍କାଳୀନ ମୁଖ୍ୟସଚିବ ଡି ରାମ ମୋହନ ରାଓ, ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ଭାସ୍କର ଓ ଏକ ଘରୋଇ ଡାକ୍ତରଖାନାର ଭୂମିକାକୁ ଦାୟୀ କରାଯାଇଛି। ଜୟା ଓ ଶଶୀକଳାଙ୍କ ମଧ୍ୟରେ ସଂପର୍କ ଭଲ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତାଙ୍କ ମୃତ୍ୟୁକୁ ସ୍ୱାଭାବିକ ଭାବେ ଗ୍ରହଣ କରାନଯାଇ ଏକ ଅପରାଧ ଭାବେ ଗ୍ରହଣ କରି ତଦନ୍ତ କରିବାକୁ ରିପୋର୍ଟରେ ଦାବି କରାଯାଇଛି।

୨୦୧୬ ଡିସେମ୍ବର ୫ ତାରିଖରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କ ମୃତ୍ୟୁ ଘଟିଥିଲା। ପ୍ରାୟ ୨ମାସ ଚିକିତ୍ସା ପରେ ତାଙ୍କର ହୃଦଘାତରେ ପ୍ରାଣ ହରାଇଥିବା ମେଡିକାଲ ବୁଲେଟିନରେ ଦର୍ଶାଯାଇଥିଲା। ତେବେ ଜୟାଙ୍କ ମୃତ୍ୟୁ ପଛରେ ଶଶୀକଳା ଓ ତାଙ୍କ ପରିବାରର ଭୂମିକା ଥିବା ନେଇ ପନ୍ନିରସେଲଭମଙ୍କ ନେତୃତ୍ୱରେ କିଛି ନେତା ଏହାର ତଦନ୍ତ ଦାବି କରିଥିଲେ।

Spread the love