ବିଜେପି ନେତା ଜଙ୍ଗା ରେଡ୍ଡୀଙ୍କ ପରଲୋକ

ନୂଆଦଲ୍ଲୀ,୦୫।୦୨:  ବିଜେପିର ବୟୋଜ୍ୟେଷ୍ଠ ନେତା ତଥା ପୂର୍ବତନ ସାଂସଦ ଚନ୍ଦୁପାତଲା ଜଙ୍ଗା ରେଡ୍ଡୀଙ୍କ ଶନିବାର ଦେହାନ୍ତ ହୋଇଛି । ୧୯୮୪ ମସିହାରେ କଂଗ୍ରେସର ଟାଣୁଆ ନେତା ନରସିଂହ ରାଓଙ୍କୁ ହରାଇ ଦେଶରେ ଚର୍ଚ୍ଚାକୁ ଆସିଥିଲେ ଚନ୍ଦୁପାତଲା। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦଳର ବହୁ ନେତା ଶୋକ ବ୍ୟକ୍ତ କରିଛନ୍ତି।

୧୯୩୫ ମସିହାରେ ଜନ୍ମିତ ଜଙ୍ଗା ରେଡ୍ଡୀ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ। ୧୯୮୦ରେ ବିଜେପିର ଗଠନ ପରେ ଦକ୍ଷିଣ ଭାରତରେ ସେ ବିଜେପିର ପ୍ରଥମ ସାଂସଦ ହୋଇଥିଲେ। ରାମ ଜନ୍ମଭୂମି ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଜଙ୍ଗା ରେଡ୍ଡୀ । ତେଲେଙ୍ଗାନା ସତ୍ୟାଗ୍ରହ ଆନ୍ଦୋଳନରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ଜଙ୍ଗା ରେଡ୍ଡୀ 1984 ସାଧାରଣ ନିର୍ବାଚନରେ କଂଗ୍ରେସ ବରିଷ୍ଠ ନେତା ପି.ଭି.ନରସିଂହା ରାଓଙ୍କୁ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ହନକକୋଣ୍ଡା ଆସନକୁ ହରାଇ ନିଜ ବିଜୟର ପତାକା ଉଡାଇଥିଲେ। ପରେ ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲା । ରେଡ୍ଡୀ ତିନି ଥର ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିଲା ଲୋକସଭା ନିର୍ବାଚନରେ ବିଜେପି କେବଳ ଦୁଇଟି ଆସନରେ ବିଜୟୀ ହୋଇଥିଲା। ଜଙ୍ଗା ରେଡ୍ଡୀ ଏବଂ ଏକେ ପଟେଲ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପଟେଲ ଗୁଜରାଟର ମେହସାଣାରୁ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ପରାଜୟର ସାମ୍ନା କରିଥିଲେ।

Spread the love