ଜେଇଇ ପାଇଁ 3ରୁ ପଞ୍ଜୀକରଣ

ଭୁବନେଶ୍ବର ସମେତ ଦେଶରେ ଥିବା 23ଟି ଆଇଆଇଟି ଓ ଧାନବାଦସ୍ଥିତ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ମାଇନ୍ସ(ଆଇଏସ୍‌ଏମ୍‌)ରେ ନାମଲେଖା ପାଇଁ ମେ’ 27ରେ ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ‌ହେବ। ଏଥିପାଇଁ ମେ’ ୩ରୁ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇ ମେ’ 9 ପର୍ଯ୍ୟନ୍ତ ଚାଲିବ। ଜେଇଇ ମେନ୍‌ର ‌ଶ୍ରେଷ୍ଠ 2ଲକ୍ଷ 45 ହଜାର ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ଜେଇଇ ଆଡଭା‌ନ୍ସଡ୍‌ ପାଇଁ ନାମ ପଞ୍ଜୀକରଣ କରି‌ପାରିବେ। ଯେଉଁମାନେ ନାମ ପଞ୍ଜୀକରଣ କରିଥିବେ, ସେମାନେ ମେ’ 10 ତାରିଖ ସନ୍ଧ୍ୟା 5ଟା ସୁଦ୍ଧା ଫି’ ଦାଖଲ କରିପାରି‌ବେ। ମେ’ 20ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ଏପ୍ରିଲ ମାସରେ ଅନୁଷ୍ଠିତ ଜେଇଇ ମେନ୍‌ ରେଜଲ୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇ ପାରିନଥିବାରୁ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଛି। କେବେ ପରୀକ୍ଷା ଫଳ ପ୍ରକାଶ ପାଇବ, ତାହାକୁ ଚାହିଁ ବସିଛନ୍ତି। ଗତ ଜାନୁଆରି ମାସରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍‌ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇଥିଲା। ଗତ ଏପ୍ରିଲ 7 ରୁ 12ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲ 20 ସୁଦ୍ଧା ଫଳ ପ୍ରକାଶ ପାଇବା କଥା। କିନ୍ତୁ ଏଥର ବିଳମ୍ବ ହୋଇଛି। ଜେଇଇ ମେନ୍‌ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ସୂଚନା ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଛି। ଆସନ୍ତା 30 ତାରିଖରେ ଫଳ ପ୍ରକାଶ ପାଇପାରେ।

ଏପ୍ରିଲ ଓ ମେ’ ମାସରେ ସାରା ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରଥମେ ମେ’ 19ରେ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତୀ ସମୟରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାକୁ ଏବେ ମେ’ 27ରେ ଅନୁଷ୍ଠିତ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭାରତ ସମେତ ବିଦେଶରେ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ପେପର୍‌-1 ପରୀକ୍ଷା 27 ତାରିଖ ସକାଳ 9ଟାରୁ ମଧ୍ୟାହ୍ନ 12ଟା ଯାଏ ଚାଲିବ। ପେପର୍‌-2 ପରୀକ୍ଷା ଅପରାହ୍‌ଣ 2ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ। ଦେଶର 155ଟି ସହର ସମେତ ବିଦେଶର 6ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ମୋଡ୍‌ରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରୀକ୍ଷା ପରିଚାଳନା କରୁଥିବା ଆଇଆଇଟି ରୁର୍‌କି କର୍ତୃପକ୍ଷ ସୂଚନା ଦେଇଛନ୍ତି। ଜେଇଇ ଆଡଭାନ୍ସଡ୍‌ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ 23ଟି ଆଇଆଇଟି‌ରେ ଥିବା 4 ବର୍ଷିଆ ବି.ଟେକ୍‌ ଓ ବି.ଏସ୍‌ ଏବଂ 5 ବର୍ଷିଆ ବି.ଆର୍କିଟେକଚର, ଡୁଆଲ୍‌ ଡିଗ୍ରି ବ୍ୟାଚଲର୍‌ ଅଫ୍‌ ବି.ଟେକ୍‌-ଏମ୍‌-ଟେକ୍‌, ଡୁଆଲ୍‌ ଡିଗ୍ରି ବି.ଏସ୍‌-ଏମ୍‌-ଏସ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌.ଟେକ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପାଠ୍ୟକ୍ରମରେ ନାମ ଲେଖାଇବେ।
Spread the love