କାହିଁକି ମଳମାସକୁ କହାଯାଏ ‘ପୁରୁଷୋତ୍ତମ ମାସ’ ? ଜାଣନ୍ତୁ ଏହା ପଛର ତାତ୍ପର୍ଯ୍ୟ
ଏ ବର୍ଷ ପଡ଼ୁଛି ଯୋଡ଼ା ଶ୍ରାବଣ। ଏଇ ଦୁଇ ଶ୍ରାବଣ ମାସ ମଧ୍ୟରୁ ଅଧା ମଳ ଏବଂ ଅଧା ଶୁଦ୍ଧ। ଶ୍ରାବଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଶୁଦ୍ଧ। ଏ ଅମାବାସ୍ୟା ହେଉଛି ଚିତାଲାଗି ଅମାବାସ୍ୟା। ତାହାର ପରଦିନ, ଅର୍ଥାତ୍ ଶୁକ୍ଳ ପ୍ରତିପଦଠାରୁ ମଳ ଶ୍ରାବଣ ମାସର ଆରମ୍ଭ। ସେଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୫ ଦିନ ଏବଂ କୃଷ୍ଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ- ଏହିପରି ଏକମାସ ହେଉଛି ମଳ ଶ୍ରାବଣ ମାସ। ଅମାବାସ୍ୟାର ପରଦିନ, ଅର୍ଥାତ୍ ଶୁକ୍ଳ ପ୍ରତିପଦଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶୁଦ୍ଧକାଳ।
ଆମ ପରମ୍ପରା ଓ ଚଳଣି ଅନୁସାରେ, ମଳମାସ ଅଶୁଭ। ଏଣୁ ଏହି ମାସରେ ସମସ୍ତ ଶୁଭକର୍ମ ବର୍ଜନୀୟ। କିନ୍ତୁ ଏହି ମାସର ଗୋଟିଏ ବିଶେଷତ୍ୱ ଅଛି। ବିଶେଷତ୍ୱଟି ହେଉଛି- ଏ ମାସର ନାମ ‘ପୁରୁଷୋତ୍ତମ ମାସ’। ଏହି ନାମ ଅଶୁଭ ମଳମାସକୁ ଅଶୁଭତାରୁ ମୁକ୍ତ କରିଛି। ଅଶୁଭ ମଳମାସ କିପରି ‘ପୁରୁଷୋତ୍ତମ ମାସ’ର ଶୁଭ ନାମ ପାଇଲା, ସେ ସଂପର୍କରେ ଗୋଟିଏ ସୁନ୍ଦର ପୌରାଣିକ ଉପାଖ୍ୟାନ ଅଛି।
ବର୍ଷର ବାରମାସ ପାଇଁ ଭଗବାନ ବିଷ୍ଣୁଙ୍କର ବାରଟି ନାମ ଅଛି। ଶ୍ରାବଣରେ ତାଙ୍କର ନାମ ‘ଶ୍ରୀଧର’। କିନ୍ତୁ ଏହି ନାମ ଶ୍ରାବଣ ମାସର ଶୁଦ୍ଧକାଳ ପାଇଁ ହିଁ ପ୍ରଯୁକ୍ତ। ‘ବୃହନ୍ନାରଦୀୟ ପୁରାଣ’ ଅନୁସାରେ, ଏହିପରି ଭାବରେ ଭଗବାନ ବିଷ୍ଣୁ ଭିନ୍ନ ଭିନ୍ନ ନାମରେ ବିଭିନ୍ନ ମାସର ଅଧିପତି ହୋଇଥିବାବେଳେ, ମଳମାସର କେହି ଅଧିପତି ନଥିଲେ। ତେଣୁ ସେହି ମାସରେ ସମସ୍ତ ଶୁଭକର୍ମ ବର୍ଜନୀୟ ଥିଲା। ସେଥିପାଇଁ ମନଦୁଃଖରେ ଦିନେ ମଳମାସ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲା। ତା’ର ଦୁଃଖର କାରଣ ଶୁଣି ଭଗବାନ ବିଷ୍ଣୁ କହିଲେ, “ମୁଁ ଯେପରି ତ୍ରିଲୋକରେ ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ ଓ ପରିବ୍ୟାପ୍ତ, ସେହିପରି ଏହି ଅଧିମାସ ‘ପୁରୁଷୋତ୍ତମ ମାସ’ ନାମରେ ପ୍ରଖ୍ୟାତ ହେବ। ମୋର ସମସ୍ତ ଗୁଣ ମୁଁ ଏହି ମାସକୁ ପ୍ରଦାନ କଲି। ଏଣିକି ସଂସାରରେ ଓ ଶାସ୍ତ୍ରରେ ଏ ମାସ ମୋ ନାମରେ ହିଁ ପରିଚିତ ହେବ। ସେହିଦିନୁ ମଳମାସ ‘ପୁରୁଷୋତ୍ତମ ମାସ’ ନାମରେ ପରିଚିତ ହେଲା।
ଏଣୁ ମଳ ମାସରେ କୌଣସି ବେଦବିହିତ ଓ ସ୍ମୃତିଶାସ୍ତ୍ର ସମର୍ଥିତ କର୍ମ ବା ଶୁଭକର୍ମ କରାଯିବା ନିଷେଧ ହୋଇଥିଲେ ମଧ୍ୟ, ଏହିପରି ଏକ ‘ପୁରୁଷୋତ୍ତମ ମାସ’ ବା ‘ଯୋଡ଼ା ଆଷାଢ଼’ ପଡ଼ିଲେ ହୋଇଥାଏ ଶ୍ରୀଜଗନ୍ନାଥଙ୍କର ନବକଳେବର।