ଜୋ ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି : ଭାରତୀୟ ବଂଶୋଦ୍ଭବ କମଳା ଉପରାଷ୍ଟ୍ରପତି

ୱାଶିଂଟନ୍: ଡେମୋକ୍ରାଟ୍‌ ରାଷ୍ଟ୍ରପତି ପ୍ରାର୍ଥୀ ୭୭ ବର୍ଷ ବୟସ୍କ ଜୋ ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଦ୍ବିତୀୟଥର ପାଇଁ ରିପବ୍ଲିକାନ୍‌ ଦଳରୁ ପ୍ରାର୍ଥୀ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ସେ ହରାଇଥିବା ଆମେରିକୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ପେନ୍‌ସିଲ୍‌ଭାନିଆର ଭୋଟ୍‌ଗଣତି ପରେ ବାଇଡେନ୍‌ ରାଷ୍ଟ୍ରପତି ହେବା ପାଇଁ କୁହୁକ ସଂଖ୍ୟା ୨୭୦ ଅତିକ୍ରମ କରିଛନ୍ତି। ତାଙ୍କୁ ୨୭୩ ଇଲେକ୍ଟର(ସାଂସଦ)ଙ୍କ ସମର୍ଥନ ମିଳିଛି। ଡୋନାଲ୍ଡ ଟ୍ରମ୍ପ ୨୧୪ ସାଂସଦଙ୍କ ସମର୍ଥନ ହାସଲ କରିଛନ୍ତି। ତେବେ ଏବେ ବି କେତେକ ରାଜ୍ୟରେ ମତଗଣନା ଜାରି ରହିଛି। ରାଷ୍ଟ୍ରପତି ନିର୍ବାଚିତ ହେବାପରେ ବାଇଡେନ୍‌ ଏଥିପାଇଁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପ୍ରତି ଆସ୍ଥାବ୍ୟକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଏକାଧିକ ଆକସ୍ମିକ ପ୍ରତିବନ୍ଧକ ସ​‌େ​‌ତ୍ତ୍ବ ଆମେରିକୀୟ ନାଗରିକ ରେକର୍ଡସଂଖ୍ୟାରେ ମତଦାନ କରିଛନ୍ତି।

ଏହା ଆମେରିକା ଗଣତନ୍ତ୍ରକୁ ଅଧିକ ଦୃଢ଼ୀଭୂତ କରିଛି। ପ୍ରଚାର ଶେଷ ହୋଇଛି, ଫଳାଫଳ ପ୍ରକାଶ ପାଇସାରିଛି, ତେଣୁ ଏବେ କ୍ରୋଧ ଛାଡି ପରସ୍ପର ଏକାଠି ହୋଇ ରାଷ୍ଟ୍ରକୁ ଆଗେଇ ନେବାର ସମୟ। ଆମେରିକାର କ୍ଷତ ଭରିବା ସହ ପୁନର୍ବାର ଆମେରିକା ଏକାଠି ହୋଇ ବିଶ୍ବକୁ ପୁଣିଥରେ ଦେକାଇବାକୁ ଚାହୁଁ ଯେ ଆମେରିକା ସବୁକିଛି କରିପାରେ, ଯଦି ସେ ଏକାଠି କାର୍ଯ୍ୟକରେ। ବାଇଡେନ୍‌ଙ୍କ ଏହି ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

କରୋନା କଟକଣା ଭିତରେ ଚଳିତବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୧୬କୋଟି ମତଦାତା ମତସାବ୍ୟସ୍ତ କରିଛନ୍ତି; ଯାହାକି ଶତାବ୍ଦୀର ରେକର୍ଡ ବୋଲି କୁହାଯାଉଛି। ଏଥିସହ ଦ୍ବିତୀୟବାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ହାରିବାରେ ଟ୍ରମ୍ପ ୩୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ବାଇଡେନ୍‌ଙ୍କ ଦଳର ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଉପରାଷ୍ଟ୍ରପତି ଭାବେ ସ୍ପଷ୍ଟ ହୋଇଛି। ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାରେ କମଳା ହେଉଛନ୍ତି ପ୍ରଥମ ଭାରତୀୟ ତଥା ଏସୀୟ ମହିଳା । ଆନୁଷ୍ଠାନିକ ଭାବେ ଜାନୁଆରୀ ୬ରେ ଫଳ ଘୋଷଣା ଓ ସେହି ମାସ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ବାଇଡେନ୍‌ ଶପଥ ଓ କାର୍ଯ୍ୟଭାର ଗ୍ରହଣ କରିବେ।

Spread the love