ଗେଷ୍ଟ ହାଉସରେ ପ୍ରେମିକଙ୍କ ସହ ରହିଥିଲେ ଝରାଫୁଲ

ଭୁବନେଶ୍ୱର,ଝରାଫୁଲ ମୋର ଜୀବନ ଥିଲା। ମୁଁ ତାକୁ ବହୁତ୍ ଭଲ ପାଉଥିଲି। ହେଲେ ସେଇ କାଳ ରାତି ହିଁ ଆମର ସବୁ ସାରିଦେଲା। ଝରାଫୁଲ ତା’ର କଅଁଳ ଆଖିରେ ଦେଖିଥିବା ସ୍ୱପ୍ନ ଅସରାଏ ଲୁହରେ ଲିଭିଗଲା। କିଏ ଜାଣିଥିଲା ମୋ ସାଙ୍ଗରେ ସେଇ ଗୋଟେ ଦିନ, ଆଉ ଗୋଟେ ରାତି ତା’ ପାଇଁ କାଳ ହେବ। ଆଉ ସେଇ ରାତି ହିଁ ଝରାଫୁଲ ଠାରୁ ମତେ ଦୂରେଇଦେବ। ପୂର୍ବରୁ ବି ଅନେକ ଥର ଆମେ ଏକାଠି ହୋଇଛୁ। ହେଲେ କେବେ ଏମିତି ହୋଇନଥିଲା। ପୁଲିସ ହାତରେ ଧରାପଡ଼ିବା ପରେ ଅଭିଯୁକ୍ତ ପ୍ରେମିକ ରାକେଶ ହିଁ ଏହା ବଖାଣିଛି। ତେବେ ରାକେଶ କେତେ ସତ ଆଉ କେତେ ମିଛି କହୁଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ।
ରାକେଶର କହିବାନୁସାରେ, ଗତ ୨୬ରେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବ ବିହାରରୁ ଝାଡ଼େଶ୍ୱରୀ ବସରେ ଚଢ଼ିଥିଲେ। ଏହାପରେ ସେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ। ସେଠାରୁ ସେ ଚାଲିଚାଲି ରୂପାଲି ଛକ ଯାଏଁ ଯାଇଥିଲେ। କିଛି ସମୟ ପରେ ସେଠାରେ ରାକେଶ ପହଞ୍ଚିଥିଲେ। ପରେ ରାକେଶ ଝରାଫୁଲଙ୍କୁ ସ୍କୁଟିରେ ବସାଇ ଖଣ୍ଡଗିରି ସ୍ଥିତ ଧର୍ମବିହାର ଅଞ୍ଚଳରେ ଥିବା ଶିବସାଇ ଗେଷ୍ଟ୍ ହାଉସକୁ ନେଇଥିଲେ। ୨୬ ତାରିଖ ପୁରା ଦିନ ଓ ରାତି ଦୁହେଁ ଗେଷ୍ଟହାଉସରେ କଟାଇଥିଲେ। ୨୭ ତାରିଖ ଭୋର ସମୟରେ ଶୋଇ ଉଠିବା ପରେ ଝରାଫୁଲଙ୍କୁ ଅଚେତ ଅବସ୍ଥାରେ ବେଡରେ ଦେଖିଥିଲା ରାକେଶ। କିଛି ସମୟ ପରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିବା ରାକେଶ ଜାଣିବାକୁ ପାଇଥିଲା। ଏହାପରେ ସକାଳ ସାଢ଼େ ୬ଟାରେ ସାଙ୍ଗ ଶେଖରକୁ ରାକେଶ ଫୋନ୍ କରିଥିଲା। ଶେଖର ସେଠାରେ ପହଞ୍ଚିବା ପରେ ସେମାନେ ମୃତଦେହକୁ ସ୍କୁଟିରେ ନେବା ପାଇଁ ଉପାୟ ଚିନ୍ତା କରିଥିଲେ। ସକାଳ ୭ଟା ୨୦ରେ ରାକେଶ ଓ ଶେଖର ମୃତଦେହ ଧରି ଗେଷ୍ଟହାଉସରୁ ବାହାରିଥିଲେ। ଏହାପରେ ସେମାନେ ଯାଜପୁର ଜିଲ୍ଲା କୁଆଖିଆ ନିକଟରେ ଫିଙ୍ଗି ଦେଇ ପଳାଇ ଆସିଥିବା ରାକେଶ ପୁଲିସ ଆଗରେ ସ୍ୱୀକାର କରିଛି। ଗେଷ୍ଟ୍ହାଉସରୁ ସ୍କୁଟିରେ ମୃତଦେହ ଧରି ରାକେଶ ଓ ଶେଖର ଯାଉଥିବାର ଚିତ୍ର ସ୍ଥାନୀୟ ଅଞ୍ଚଳର ଏକ ସିସିଟିଭିରେ କଏଦ ହୋଇଛି।
ତେବେ ଗେଷ୍ଟ୍ ହାଉସ ଭିତରେ ଝରାଫୁଲଙ୍କ ମୃତ୍ୟୁ କିପରି ହେଲା, ରାକେଶ ତାଙ୍କୁ ମାରିଛି କି, ଯଦି ରାକେଶ ଝରାଫୁଲଙ୍କ ପ୍ରେମ କରୁଥିଲା, ତା’ହେଲେ ମାରିଲା କାହିଁକି, ସେଠାରେ ରାକେଶର ବନ୍ଧୁ ଶେଖର ପୂର୍ବରୁ ଉପସ୍ଥିତ ଥିଲା କି, ଦୁହେଁ ମିଶି ଝରାଫୁଲଙ୍କ ସହ କିଛି ଅଘଟଣ ଘଟାଇଛନ୍ତି କି, ଏଭଳି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି। ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଯାଜପୁର ପୁଲିସ ରାକେଶକୁ ରିମାଣ୍ଡରେ ନେବା ପାଇଁ ପ୍ରସ୍ତୁତ ହୋଇଛି। ଏନେଇ ଯାଜପୁର ପୁଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଛି। ରାକେଶ ରିମାଣ୍ଡରେ ଆସିବା ପରେ ସବୁ ସତ ଖୋଲିବ। ଶୁକ୍ରବାର ରାକେଶର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ୍ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Spread the love