ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ପତ୍ର

ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର
ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ
ସରକାରଙ୍କର ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି । ପଶ୍ଚିମ ଓଡିଶାର ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ଝାରସୁଗୁଡା ବିମାନବନ୍ଦର ପ୍ରତିଷ୍ଠା କାରଣରୁ ଏହି ଯୋଜନାରେ ଓଡିଶା ମଧ୍ୟ ଲାଭାନ୍ୱିତ ହୋଇଛି । ପଶ୍ଚିମ ଓଡିଶାର ଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଏହି ପୃଷ୍ଠଭୂମିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରି ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ ସ୍ପାଇଶଜେଟ୍ ତରଫରୁ ଝାରସୁଗୁଡାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ
ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲା । ଏହା ଦ୍ୱାରା ପଶ୍ଚିମ ଓଡିଶାର ଅଧିଂକାଶ ଲୋକମାନେ
ସେବାର ଲାଭ ପାଇଥିଲେ ଏବଂ ବାଣିଜ୍ୟିକ ଦୃଷ୍ଟିରୁ ମଧ୍ୟ ସଫଳ ମଧ୍ୟ ହୋଇଥିଲା । ଏହାବ୍ୟତିତ ସାଇଶଜେଟ୍ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ କୋଲକାତାକୁ ମଧ୍ୟ ବିମାନ ସେବା ଆରମ୍ଭ କରିଛି । ଯଦ୍ୱାରା ଦେଶର ଉତରପୂର୍ବ ଏବଂ ଦକ୍ଷିଣ ଭାଗରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର
ସୂତ୍ରପାତ କରିଛି । ତେବେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଏବଂ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ
ଯୋଗାଯୋଗର ଅଭାବ ରହିଛି । ତାଙ୍କର ସୂଚନାନୁସାରେ ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ସଳଖ
ବିମାନ ଚଳାଚଳ କରିବା ପାଇଁ ପଶ୍ଚିମ ଓଡିଶାର ଯାତ୍ରୀମାନଙ୍କର ଦାବୀ ରହିଛି । ପଶ୍ଚିମ ଓଡିଶା ଲୋକଙ୍କର ସୁବିଧାକୁ ଧ୍ୟାନରେ ରଖି ଖୁବ ଶୀଘ୍ର ଝାରସୁଗୁଡା ଓ ମୁମ୍ବାଇ ମଧରେ ବିମାନ
ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହାବ୍ୟତିତ ମୁମ୍ବାଇ ଓ ଝାରସୁଗୁଡା ମଧ୍ୟରେ ଉଡାଣ ଓ ଅବତରଣ ପାଇଁ ସମୟ ଦେବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Spread the love