ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ, ତାତିରେ ତ୍ରାହିତ୍ରାହି ଡାକିଲେ ଭୁବନେଶ୍ବରବାସୀ

ଭୁବନେଶ୍ବର: ଆଜି ଦିନ ତମାମ ରାଜ୍ୟବାସୀ ତତଲା ଖରା ଓ ଝାଞ୍ଜିରେ ଭାଜି ହୋଇଛନ୍ତି। ଅପରାହ୍‌ଣ ୨ଟା ୩୦ରେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଏଥିରେ ଝାରସୁଗୁଡ଼ା ସର୍ବାଧିକ ରହିଛି। ଝାରସୁଗୁଡ଼ାବାସୀ ଦିନ ୨ଟା ୩୦ରେ ୪୩.୬ ଡିଗ୍ରିରେ ସିଝିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ପରେ ଭୁବନେଶ୍ବର, ସମ୍ବଲପୁର ଓ ହୀରାକୁଦ ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହରରେ ପରିଣତ ହୋଇଛି ଏଠାରେ ତାପମାତ୍ରା ୪୨.୨ ରେକର୍ଡ ହୋଇଛି। ଭୁବନେଶ୍ବରବାସୀ ତାତିରେ ତ୍ରାହିତ୍ରାହି ଡାକିଛନ୍ତି। କେନ୍ଦୁଝର ଓ ଚାନ୍ଦବାଲିରେ ୪୧.୮, ରାଉରକେଲାରେ ୪୧.୪, ବାଲେଶ୍ୱରରେ ୪୧, ପୁରୀରେ ୩୫, ଗୋପାଳପୁରରେ ୩୪.୮ ଓ ପାରାଦୀପରେ ୩୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଗ୍ରୀଷ୍ମ ପ୍ରବାହ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଆଗାମୀ ୨ ଦିନ ପାଇଁ ରେଡ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଗଜପତି, ଗଂଜାମ, ବାଲେଶ୍ବର, ମୟୂରଭଂଜ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।

Spread the love