ଜଲାନ୍ ପ୍ଲାଣ୍ଟ ଖୋଲିବା ଦାବି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଶେଷଜ୍ଞ ଦଳର ପରିଦର୍ଶନ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) :   ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ଏକଘରିଆ ଠାରେ ଥିବା ଘରୋଇ ପରିଚାଳନାଧୀନ ଜଲାନ୍‌ କାର୍ବନ୍‌ ଓ କେମିକାଲ୍‌ ପ୍ଲାଣ୍ଟ ଗତ ୩ ମାସ ଧରି ବନ୍ଦ ହୋଇ ରହିବା ପରେ ଆଜି କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଉଚ୍ଚକ୍ଷମତାସଂପନ୍ନ ବିଶେଷଜ୍ଞ ଦଳ କାରଖାନା ପରିଦର୍ଶନ କରି ପ୍ରଦୂଷଣ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ସେମାନେ  ଏହି ପରିଦର୍ଶନ କାଳରେ ପାର୍ଶ୍ବବର୍ତ୍ତୀ ଅଂଚଳର ଜଳ, ମୃତ୍ତିକା ତଥା ଫସଲର ନମୂନା ସଂଗ୍ରହ କରିଛନ୍ତି। ଏଗୁଡ଼ିକର ପରୀକ୍ଷା ରିପୋର୍ଟ ଆସିବା ପରେ କାରଖାନା ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।  ଏଣେ ବିଶେଷଜ୍ଞ ଦଳର ଏହି ପରିଦର୍ଶନ କାଳରେ କାରଖାନା ଖୋଲାଇବାକୁ ନେଇ ପାଖ ଗ୍ରାମବାସୀଙ୍କର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ କାରଖାନା ନଖୋଲାଇବା ଦାବିରେ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ପ୍ଲାକାର୍ଡ ଧରି ଧାରଣା ଦେଇଥିବା ବେଳେ ଅପରଗୋଷ୍ଠୀ କାରଖାନା ତୁରନ୍ତ ଖୋଲାଇବା ଦାବିରେ କିଛି ଦୂରରେ ଧାରଣାରେ ବସିଥିଲେ। ଉଭୟପକ୍ଷର ଏହି ପରସ୍ପର ବିରୋଧୀ ଧାରଣା ତଥା ନାରାବାଜି ସାଧାରଣରେ ବେଶ୍ କୌତୁହଳ ସୃଷ୍ଟି କରିଥିଲା।

ସୂଚନା ଅନୁଯାୟୀ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀ ଡ. ରୀତା ଶାହାଙ୍କ ନେତୃତ୍ବରେ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଗଠିତ ଏକ ୮ଜଣିଆ ବିଶେଷଜ୍ଞ ଦଳ ସକାଳେ କାରଖାନା ପରିସର ବୁଲି ପ୍ରଦୂଷଣ ନିୟନ୍ତ୍ରଣ ନେଇ କାରଖାନା ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିବା ସହ ନୂତନ ଭାବେ ଅବସ୍ଥାପିତ ବିଭିନ୍ନ ଯନ୍ତ୍ରପାତି ତଥା ବ୍ୟବସ୍ଥାର ତଦାରଖ କରିଥିଲେ। ପରେ ସେମାନେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ତଥା ବିକ୍ଷୋଭ ପ୍ରଦର୍ଶନକାରୀ ଗ୍ରାମବାସୀଙ୍କ ସହିତ ସ୍ଥାନୀୟ ଏକଘରିଆ ଗ୍ରାମର ବିଭିନ୍ନ ଖୋଲା କୂଅ, ନଳକୂଅ ଓ କେନାଲ ଆଦି ଜଳ ଉତ୍ସଗୁଡ଼ିକ ପରିଦର୍ଶନ କରି ପାଣି ନମୂନା ସଂଗ୍ରହ କରିଥିଲେ।

  ସେହିଭଳି ବିଭିନ୍ନ ଲୋକଙ୍କ ଘରବାଡ଼ି, ଜମିରେ ହୋଇଥିବା ଫସଲ ଦେଖି ସ୍ଥିତି ଅନୁଧ୍ୟାନ କରିଥିଲେ। ସଂଗୃହୀତ ପାଣି ଓ ମାଟିର ନମୂନା ପରୀକ୍ଷା ପରେ ପ୍ରଦୂଷଣର ସ୍ଥିତି ଜଣାପଡ଼ିବ ଏବଂ କାରଖାନା ଖୋଲିବା ପାଇଁ ଅନୁମତି ଦିଆଯିବ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଏହି ବିଶେଷଜ୍ଞ ଦଳରେ ସାମିଲ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳସ୍ଥିତ ଆଂଚଳିକ ଅଧିକାରୀ ଡ. ଅନୁପ ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ନେଇ କାରଖାନା ପକ୍ଷରୁ ଇତିମଧ୍ୟରେ ପୂର୍ବାପେକ୍ଷା ଢେର ସକାରାତ୍ମକ ପଦକ୍ଷେପ ନିଆଯାଇଥିବା ଆଜିର ପରିଦର୍ଶନ କାଳରେ ପରିଲକ୍ଷିତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କେତେକ ଗ୍ରାମବାସୀ ପ୍ଲାଣ୍ଟ ଯୋଗୁ ଏହି ଅଞ୍ଚଳର ଜଳବାୟୁ ପ୍ରଦୂଷିତ ହେଉଥିବା ନେଇ ଅଭିଯୋଗ କରିବା ପରେ ଗତ ନଭେମ୍ବର ୨୬ ତାରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ଉକ୍ତ ପ୍ଲାଣ୍ଟକୁ ବନ୍ଦ କରି ଦେଇଥିଲେ। ତେବେ ନିକଟ ଅତୀତରେ ଏକଘରିଆ ଗ୍ରାମର କେତେକ ଲୋକ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ପ୍ଲାଣ୍ଟ ବନ୍ଦ ଯୋଗୁଁ ସ୍ଥାନୀୟ ଯୁବକଯୁବତୀ ଜୀବନଜୀବିକା ହରାଇବା ସହିତ ଭୋକ ଉପାସରେ ରହୁଛନ୍ତି। 

କେବଳ ସେତିକି ନୁହେଁ, ଏଥିଯୋଗୁଁ ସରକାରଙ୍କର ମଧ୍ୟ ଲକ୍ଷାଧିକ ଟଙ୍କା କ୍ଷତି ହେଉଥିବାରୁ ପ୍ଲାଣ୍ଟକୁ ତୁରନ୍ତ ଖୋଲାଇବା ପାଇଁ ସେମାନେ ଜିଲ୍ଲାପାଳଙ୍କଠାରେ ଦାବି କରିଥିଲେ।  ଲୋକମାନେ ପ୍ଲାଣ୍ଟ ଚାଲୁ କରିବାକୁ ଜିଲ୍ଲାପାଳ,  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଥିଲେ।

Spread the love