ଜେଏନୟୁ ହିଂସାରେ ନୂଆ ଟ୍ୱିଷ୍ଟ, ଆକ୍ରମଣ ପାଇଁ ନିଜକୁ ଦାୟୀକଲା ହିନ୍ଦୁ ସୁରକ୍ଷା ଦଳ

ହିନ୍ଦୁ ରକ୍ଷା ଦଳ ପକ୍ଷରୁ ତାଙ୍କର ନେତା ପିଙ୍କି ଚୌଧୁରୀଙ୍କ ଏକ ଭିଡିଓ ଜାରି କରାଯାଇଛି। ଏଥିରେ ସେ କହିଛନ୍ତି ଯେ “ଜେଏନୟୁରେ ଦିନକୁ ଦିନ ଦେଶଦ୍ରୋହ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଆମେ ଏହାକୁ କେବେ ହେଲେ ସହ୍ୟ କରିପାରିବୁ ନାହିଁ। ଏବେ ଆମେ ଆକ୍ରମଣ କରି ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛୁ। ଜେଏନୟୁ ହିଂସା ଘଟଣାର ସମସ୍ତ ଉତ୍ତରଦାୟିତ୍ୱ ଆମେ ଗ୍ରହଣ କରୁଛୁ। ମୁଁ ଗର୍ବର ସହ କହିବାକୁ ଚାହେଁ ଯେ ଆକ୍ରମଣକାରୀମାନେ ଆମର କର୍ମକର୍ତ୍ତା। ଜେଏନୟୁରେ ବିଗତ କିଛି ବର୍ଷ ହେଲେ ଛାତ୍ରଛାତ୍ରୀମାନେ ଯେଉଁଭଳି ବ୍ୟବହାର କରୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ଆମ ଧର୍ମ ବିରୋଧରେ ସେମାନେ କାର୍ଯ୍ୟ କରିବାରେ ଲାଗିଛନ୍ତି। ଆମେ କେବେ ହେଲେ ଭାରତ ବିରୋଧୀ କାର୍ଯ୍ୟକୁ ସହ୍ୟ କରିବୁ ନାହିଁ।”

ସେ ଆହୁରି କହିଛନ୍ତି ଯେ “ଏଭଳି ଲୋକମାନେ ଆମ ଦେଶରେ ରହୁଛନ୍ତି। ଆମ ଖାଦ୍ୟ ଖାଉଛନ୍ତି। ଏଠାରେ ପାଠପଢ଼ୁଛନ୍ତି। ହେଲେ ସେମାନେ ଦେଶ ବିରୋଧରେ କାର୍ଯ୍ୟ କରୁଛନ୍ତି। ହିନ୍ଦୁ ରକ୍ଷା ଦଳ ସର୍ବଦା ଏହାକୁ ବିରୋଧ କରୁଛି। ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିଲେ,ଆମେ ପୁଣି ଆକ୍ରମଣ କରିବୁ। କେବଳ ଏଠାରେ ନୁହେଁ, ଯେଉଁମାନେ ଏଭଳି କାର୍ଯ୍ୟ କରିବାରୁ ଉଦ୍ୟମ କରୁଛନ୍ତି, ଆମେ ସମସ୍ତଙ୍କୁ ଏଭଳି ଢଙ୍ଗରେ ଆକ୍ରମଣ କରିବୁ।”

Spread the love