ବାବର ଅଲିଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦେବେ ଯୋଗୀ ସରକାର

କୁଶୀନଗର ୨୮/୦୩ : ବିଜେପିକୁ ଭୋଟ ଦେବା ଓ ବିଜେପି ସରକାର ଗଠନ କରିବା ପରେ ଖୁସିରେ ମିଠା ବାଣ୍ଟିବା ଘଟଣାରେ କୁଶୀନଗରରେ ବାବର ଅଲି ନାମକ ଜଣେ ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା କରାଯଇଥିଲା । ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ବାବରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ ଲକ୍ଷ ଟଙ୍କା ଦେବେ ବୋଲି ଜଣା ପଡ଼ିଛି । ଏହା ସହିତ ମୁଖ୍ୟମନ୍ତ୍ରୀ ପୂର୍ବରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି ।

ରାମକୋଲା ଥାନା ଅଞ୍ଚଳରେ ଥିବା କଠଘରହୀ ନିବାସୀ ବାବର ଅଲୀ ବିଜେପିକୁ ଭୋଟ ଦେବା ଓ ବିଜେପି ଜିତିବା ଖୁସିରେ ମିଠା ବାଣ୍ଟି ବାଣଫୁଟାଇବା ଘଟଣାରେ ତାଙ୍କ ପଡ଼ୋସୀ ମାନଙ୍କ ସହିତ ଝଗଡ଼ା ହେବା ସହିତ ମାରପିଟ ହୋଇଥିଲା। ଏହି ମାରପିଟରେ ବାବର ଗୁରୁତର ଆହତ ହୋଇ ଲକ୍ଷ୍ନୌରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମାର୍ଚ୍ଚ ୨୫ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଏହି ମାମଲାରେ ଉତ୍ତର ପ୍ରଦେଶର ନୂଆ କ୍ୟାବିନେଟ ମନ୍ତ୍ରୀ ଦୟାଶଙ୍କର ସିଂହ କହିଛନ୍ତି ଅଭିଯୁକ୍ତମାନଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବଜାୟ ରଖିବା ସରକାରଙ୍କର ପ୍ରଥମ ଦାୟିତ୍ୱ। ପୋଲିସ ଘଟଣାର ତଦନ୍ତ କରୁଛି। ବହୁତ ଶୀଘ୍ର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବ।

କୁଶିନଗରର ଡିଏସପି ସନ୍ଦୀପ ବର୍ମା କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ମଧ୍ୟ ବାବରଙ୍କ ସମୁଦାୟର ବୋଲି ଜଣା ପଡ଼ିଛି। ଅନ୍ୟପଟେ କୁଶୀନଗରର ଏଡିଏମ ବରୁଣ କୁମାର କହିଛନ୍ତି ପିଡ଼ୀତଙ୍କ ପକ୍ଷରୁ ତାଙ୍କୁ ଧମକ ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ବୋଲି ସୂଚନା ମିଳଛି। ଏହାକୁ ନେଇ ମଧ୍ୟ ଏତାଲା ରୁଜୁ କରାଯାଇଛି । ତଦନ୍ତ କରାଯାଉଛି। ଦୋଷୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love