ଆଜିଠାରୁ ରେଳ ଷ୍ଟେସନରେ ଛେପ ପକାଇଲେ ଦେବେ ଜରିମାନା

ଆଜିଠାରୁ ରେଳ ଷ୍ଟେସନରେ ଛେପ ପକାଇଲେ ଦେବେ ଜରିମାନା । କେବଳ ରେଳ ଷ୍ଟେସନ ନୁହେଁ, ପ୍ଲାଟଫର୍ମ, ଟ୍ରେନକୁ ଅପରିଷ୍କାର କଲେ ଯାତ୍ରୀମାନଙ୍କୁ ଦେବାକୁ ପଡିବ ଜରିମାନା । ଛେପ ପକାଇବା ସହ ଆବର୍ଜନା କରିବା, ବାହାରେ ପରିସ୍ରା କରିବା, କାନ୍ଥବାଡ଼କୁ ଅପରିଷ୍କାର କରିବା, କପଡ଼ା/ଲୁଗାପଟା ସଫା କରିବା, ୫୦ ମାଇକ୍ରୋନ୍‌ରୁ କମ୍‌ ଥିବା ପ୍ଲାଷ୍ଟିକ ବ୍ୟବହାର କଲେ ବି ଜରିମାନା ଦେବାକୁ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ରେଳପଥ ପରିସରରେ ସ୍ବଚ୍ଛ ଭାରତ ମିସନକୁ ସୁନିଶ୍ଚିତ କରିବା ସହ ମ୍ୟୁନିସିପାଲ ସଲିଡ୍‌ ୱେଷ୍ଟ ମ୍ୟାନେଜମେଂଟ ନିୟମ-୨୦୧୬ ଆଧାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତି ହୋଇଛି। ୨୦୧୬ରୁ ଜରିମାନା ବ୍ୟବସ୍ଥା ଲାଗୁ ହୋଇଛି। ଯେଉଁଥିରେ ଚାରିଟି ବିଷୟବସ୍ତୁ ଯଥା ଛେପ ପକାଇବା, ଆବର୍ଜନା କରିବା, ବାହାରେ ପରିସ୍ରା ଓ କାନ୍ଥବାଡ଼କୁ ଅପରିଷ୍କାର କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ ହେଉଥିଲା। ଏଥିପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୯୩୦୧ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ୨୦୧୮-୧୯ରେ ୧୦ ହଜାର ୫୮୨ ଜଣ ଓ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ୮୩୨୧ ଜଣଙ୍କଠାରୁ ଜରିମାନା ଆଦାୟ ହୋଇଛି।ଏଣିକି ମୋଟ ୧୩ଟି ନିୟମକୁ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ଏହି ଜରିମାନା କେବଳ ଦୁଇଟି ପ୍ରଣାଳୀ ଯଥା ଏ-୧ ଓ ଏ ଶ୍ରେଣୀ ଅଧୀନସ୍ଥ ଷ୍ଟେସନ ଏବଂ ଅନ୍ୟ ସମସ୍ତ ଷ୍ଟେସନ ପାଇଁ ପୃଥକ ଜରିମାନା ଆଦାୟ ହେଉଥିଲା। ବିଭିନ୍ନ ରେଳ ମଣ୍ଡଳରେ ପୃଥକ ଜରିମାନା ଦେୟ ଆଦାୟ କରାଯାଉଥିଲା। ନୂତନ ନିୟମ ଅନୁଯାୟୀ, ପୂର୍ବତଟ ରେଳପଥ ଅନ୍ତର୍ଗତ ସମସ୍ତ ରେଳଷ୍ଟେସନ ବର୍ଗୀକରଣ ଅନୁଯାୟୀ ଜରିମାନା ଆଦାୟ କରିପାରିବେ। ରେଳବାଇ ବୋର୍ଡ ଦ୍ୱାରା ପୃଥକୀକରଣ ବର୍ଗରେ ପୂର୍ବତଟ ରେଳପଥ ମଧ୍ୟରେ ଷ୍ଟେସନ ଗୁଡିକୁ ସବ-ଅର୍ବାନ(ଏସ୍‌ଜି), ନନ୍‌-ସବ-ଅର୍ବାନ(ଏନ୍‌ଏସ୍‌ଜି) ଓ ହଲ୍‌ଟ ଷ୍ଟେସନ(ଏଚ୍‌ଜି)। ନୂତନ ନିୟମ ଅନୁଯାୟୀ ଏବେ କେବଳ ଦୁଇଟିସ୍ତରରେ ସ୍ୱଚ୍ଛତା ନିୟମ ଅବମାନନାକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବ। ଗୋଟିଏ ସ୍ତରରେ ଏନ୍‌ଏସ୍‌ଜି-୨, ୩ ଓ ୪ ବର୍ଗ ଷ୍ଟେସନ ଥିବା ବେଳେ ଅନ୍ୟ ସ୍ତରରେ ଏନ୍‌ଏସ୍‌ଜି-୫, ୬ ବର୍ଗ ଷ୍ଟେସନ ଓ ପାସେଞ୍ଜର ହଲଟ୍‌ ଅନ୍ତର୍ଭୁକ୍ତ ରହିଛି।

ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବ୍ୟତୀତ ରେଳ ଷ୍ଟେସନରୁ ଆବର୍ଜନା ସଂଗ୍ରହ କରୁଥିବା ସଂସ୍ଥା ଆବର୍ଜନାକୁ ଅଲଗା ନ ରଖିଲେ ବଡ଼ ଷ୍ଟେସନ ପାଇଁ ୨ ହଜାର ଓ ଛୋଟ ଷ୍ଟେସନ ପାଇଁ ୧ ହଜାର ଟଙ୍କା ଜରିମାନା ଆଦାୟ ହେବ।

Spread the love