ଧସୁଛି ଉତ୍ତରାଖଣ୍ଡର ଯୋଶୀମଠ ସହର

ଉତ୍ତରାଖଣ୍ଡ ଯୋଶୀମଠ ସହରର ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ବିଶେଷଜ୍ଞ ଟିମ୍ । ଯୋଶୀମଠର ଅଧିକ କ୍ଷତିଗ୍ରସ୍ତ ଘରକୁ ଭାଙ୍ଗିଦେବାକୁ ପରାମର୍ଶ ଦେଇଛନ୍ତି । ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଘରକୁ ଚିହ୍ନଟ କରି ଜରୁରୀକାଳୀନ ଭିତ୍ତିରେ ଭାଙ୍ଗିବାକୁ ନିଜ ରିପୋର୍ଟରେ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଟିମ୍ । ଧିରେ ଧିରେ ଭୂଗର୍ଭରେ ଯୋଶୀମଠ ସହର ଧସି ଯାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ରଞ୍ଜିତ ସିହ୍ନାଙ୍କ ନେତୃତ୍ୱରେ ୮ ଜଣିଆ ବିଶେଷଜ୍ଞ ଟିମ୍ । ଜାନୁୟାରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଯୋଶୀମଠରେ ଫିଲଡ ସର୍ଭେ କରିବା ପରେ ପରେ ରିପୋର୍ଟ ଦେଇଛନ୍ତି ।

ମାଟି ଦବି ଯାଉଥିବାରୁ ଯୋଶୀମଠର ୨୫ ପ୍ରତିଶତ ଅଂଚଳ ଗୁରୁତର ପ୍ରଭାବିତ ହୋଇଛି । ଯେଉଁଠାରେ ବସବାସ କରୁଥିବା ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେହି ଅଂଚଳର ଅଧିକ କ୍ଷତିଗ୍ରସ୍ତ ଘରକୁ ତୁରନ୍ତ ଭାଙ୍ଗିଦେବା ସହ ନିର୍ମାଣ କାମ ଉପରେ ରୋକ ଲଗାଇବାକୁ ପରାମର୍ଶ ଦିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଯୋଶୀମଠର ଏକ ମନ୍ଦିର ଭୁଶୁଡି ପଡିଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ମାଧବାଶ୍ରମ ମନ୍ଦିରରେ ମଧ୍ୟ ଫାଟ ଦେଖା ଦେଇଛି । ଏପରି କି ମାଧବାଶ୍ରମର ଶିବ ମନ୍ଦିରର ଶିବଲିଙ୍ଗରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ସ୍ଥିତିକୁ ଦେଖି ୫୫ ଜଣ କ୍ଷତିଗ୍ରସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଯୋଶୀମଠକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ତୁରନ୍ତ ୬ଶହ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love