ଏବେ ଆଉ ଦେଖିବାକୁ ମିଳୁନାହିଁ ବିସ୍ଫୋରକ ଖବର: ସାମ୍ବାଦିକଙ୍କୁ ଆଇନା ଦେଖାଇଲେ ସିଜେଆଇ

ନୂଆଦିଲ୍ଲୀ ୧୫।୧୨: ଭାରତୀୟ ମିଡିଆରୁ ଗାଏବ ହୋଇ ଯାଇଛନ୍ତି ଅନୁସନ୍ଧାନକାରୀ ସାମ୍ବାଦିକ। ପୂର୍ବେ ଦୁର୍ନୀତିର ସ୍କାଣ୍ଡାଲ ଉପରେ ସ୍କାଣ୍ଡାଲର ଖୁଲାସା ହେଉଥିଲା। ମାତ୍ର ଏବେ ଆଉ ସେହି ଅନୁସନ୍ଧାନମୂଳକ ସାମ୍ବାଦିକତା ଦେଖିବାକୁ ମିଳୁନାହିଁ। ଡିଜିଟାଲ ମାଧ୍ୟମରେ ଆୟୋଜିତ ଏକ ପୁସ୍ତକ  ବିମୋଚନ କାର୍ଯ୍ୟକ୍ରମରେ ଏହି କଥା କହିଛନ୍ତି ଦେଶର ପ୍ରଧାନ ବିଚାରପତି ଏନଭି ରମନ୍ନା।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସିଜେଆଇ କହିଛନ୍ତି, ପୂର୍ବେ ଖବରକାଗଜର ଉପଯୋଗ ସ୍କାଣ୍ଡାଲର ଖୁଲାସା କରି ସମାଜରେ ହଲଚଲ ସୃଷ୍ଟି କରିବା ପାଇଁ କରାଯାଉଥିଲା। ମାତ୍ର ବର୍ତ୍ତମାନ ସମୟରେ କୌଣସି ବିସ୍ଫୋରକ ଖବର ପଢିବାକୁ ମିଳୁନାହିଁ। ଏମିତି କହି ସାମ୍ବାଦିକଙ୍କୁ ନିଜର କର୍ତ୍ତବ୍ୟ ମନେ ପକାଇ ଦେଇଛନ୍ତି ବିଚାରପତି ରମନ୍ନା।

ନ୍ୟାୟମୂର୍ତ୍ତି ରମନ୍ନା କହିଛନ୍ତି, ଅନୁସନ୍ଧାନମୂଳକ ସାମ୍ବାଦିକତାର ଅବଧାରଣା ଗଣମାଧ୍ୟମ ପରିଦୃଶ୍ୟରୁ ଗାଏବ ହୋଇ ଯାଇଛି। ଏହା ଏକ ଅବାସ୍ତବ ସତ କଥା। ଯେବେ ଆମେ  ବଡ ହେଉଥିଲୁ ସେହି ସମୟରେ ଖବର କାଗଜ ସ୍କାଣ୍ଡାଲର ଖୁଲାସା କରିବାକୁ ଉତ୍ସୁକ ଥିଲେ। ସେହି ସମୟରେ ଖବରକାଗଜ ଆମକୁ ହତାଶା କରୁନଥିଲେ। ଅତୀତରେ ଆମେ ବଡ ସ୍କାଣ୍ଡାଲର ପର୍ଦ୍ଦାଫାଶ ହେଉଥିବା ଦେଖୁଥିଲୁ। ଏହା ଦ୍ଵାରା ଗମ୍ଭୀର ପରିଣାମ ମଧ୍ୟ ଦେଖିବାକୁ ମିଳୁଥିଲା ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି, ବ୍ୟକ୍ତି ଏବଂ ସଂସ୍ଥାର ସାମୂହିକ  ବିଫଳତାକୁ ମିଡିଆ ଦ୍ଵାରା ଉଜାଗର କରାଯିବାର ଆବଶ୍ୟକତା ରହିଛି। ଗଣମାଧ୍ୟମକୁ ଶାସନ ପ୍ରଣାଳୀର ଦୋଷ ଦୁର୍ବଳତାକୁ ଅବଗତ କରାଇବାର ଆବଶ୍ୟକତା ରହିଛି।

Spread the love