ଯୋଡ଼ାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ବଡ଼ବିଲ, ୦୩।୦୩: ଯୋଡ଼ାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ।  ଏକ ଟିଭି ଚ୍ୟାନେଲର ଯୋଡ଼ା ପ୍ରତିନିଧି, ସତ୍ୟଜିତ ଦାସଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।  ଆକ୍ରମଣରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ସୂଚନା ରହିଛି । ଦିନ ପ୍ରାୟ ଦେଢଟା ସମୟରେ ଯୋଡ଼ା ସିନେମାହଲ୍ ନିକଟରେ ଏହି ଆକ୍ରମଣ ହୋଇଥିଲା । ଏନେଇ ଯୋଡ଼ା ପୋଲିସ୍ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଁଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଟା ଷ୍ଟିଲ ଡାକ୍ତରଖାନାକୁ ନେଇଥିଲା । ସେଠାରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।  ଆକ୍ରମଣକାରୀ ଯୁବକ ରିପୁନ ଦାସ ଫେରାର ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଗାମୀ ପୌର ନିର୍ବାଚନରେ ୱାର୍ଡ ପ୍ରାର୍ଥୀ ହେବାକୁ ନେଇ ରଞ୍ଜିତ ମହାକୁଡ଼ ଓ ଜଗନ୍ନାଥ ପାଣିଗ୍ରାହୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ତେବେ ଆଜି ରଞ୍ଜିତ ମହାକୁଡ଼ଙ୍କ ପୁଅ ବିଜୟ ମହାକୁଡ଼, ଫୋନ୍ କରି ସତ୍ୟଜିତଙ୍କୁ ସିନେମାହଲ ନିକଟକୁ ଡକାଇଥିଲେ । ସତ୍ୟଜିତଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ସେ ପହଁଚିବା ବେଳକୁ ରଞ୍ଜିତ ମହାକୁଡ଼ ଓ ଜଗନ୍ନାଥ ପାଣିଗ୍ରାହୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ମାରପିଟ ହୋଇଥିଲା । ଏତିକି ବେଳେ, ସେ ପ୍ରତିବାଦ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ । ରିପୁନ ଦାସ ନାମକ ଅସାମାଜିକ ଯୁବକ ହଠାତ୍ ତାଙ୍କୁ ଏକ ଠେଙ୍ଗାରେ ବାଡ଼େଇବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ସେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଘଟଣାରେ ଜଗନ୍ନାଥ ପାଣିଗ୍ରାହୀ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଯୋଡ଼ା ପୋଲିସ ପୁରା ଘଟଣାର ତଦନ୍ତ ଚଳାଇଛି ।

Spread the love