ସାମ୍ବାଦିକ ସଙ୍ଘ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଁଇଲେ ଜିଲ୍ଲା ପ୍ରଶାସନ

ଜଗତସିଂହପୁର : ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ବିରିଡି ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ୱାଦିକ ସଙ୍ଘ ଦେଇ ଥିବା ଗଣ ଧାରଣାର ତିନି ଦିନ ପରେ ଆଲୋଚନାକୁ ଆସିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସଂଘର ୫ ଜଣିଆ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବା ସହ ସମ୍ପୃକ୍ତ ବିଡ଼ିଓଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ସାମ୍ବାଦିକ ସଙ୍ଘ ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୂଆଁଇଛି ଜଗତସିଂହପୁର ଜିଲା ପ୍ରଶାସନ । ତିନି ଦିନ କାଳ ଗଣ ଧାରଣା ପରେ ଜଗତସିଂହପୁର ଜିଲାପାଳ ସାମ୍ବାଦିକ ସଂଘର ୫ ଜଣିଆ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ସହ  ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ବିରିଡି ବିଡ଼ିଓ ହେମନ୍ତ ମହାନ୍ତଙ୍କ ବିରୁଦ୍ଧରେ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିରିଡି ବିଡ଼ିଓ ବିଭିନ୍ନ  ପଂଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସାଧାରଣ ଜନତାଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିବା ସହ ମାର୍ଚ୍ଚ ମାସ ୩୧ ତାରିଖ ଦିନ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର କରିବାକୁ ପଛାଇ ନଥିଲେ ।

ଫଳରେ ଏହାର ପ୍ରତିବାଦ କରି ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଜିଲାପାଳ ଙ୍କୁ ଗତ ୪ ତାରିଖ ଦିନ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରଶାସନ ୭ ଦିନ ମଧ୍ୟରେ ଦାବି ପ୍ରତି ଦୃଷ୍ଟି ନଦେବାରୁ ପୂର୍ବ ନିଷ୍ପତି କ୍ରମେ ସାମ୍ବାଦିକ ସଙ୍ଘ ଗତ ୧୮ ତାରିଖ ଦିନ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣାରେ ବସିଥିଲା ।

ଆଲୋଚନା ଏକ ପ୍ରକାର ସଫଳ ହୋଇଥିବାର ସଂଘର ପ୍ରତିନିଧି ମାନେ କହିଥିବା ସହ ଖୁବ ଶୀଘ୍ର ଯଦି ଦାଦାଗିରି ଦେଖାଉ ଥିବା ବିଡ଼ିଓଙ୍କ ବିରୁଦ୍ଧରେ ଆଵଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହେଲେ ଆଗାମୀ ଦିନରେ ପୁନର୍ବାର ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କର୍ମକର୍ତା ମାନେ ଚେତାବନୀ ଦେଇଛନ୍ତି । ଜିଲାପାଳ ସାମ୍ବାଦିକ ଙ୍କ ସହ ଆଲୋଚନା କରିବା ସହ ସରକାରଙ୍କୁ ବିଡ଼ିଓଙ୍କ ବାବଦ ରେ ଚିଠି କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗଣ ପ୍ରତ୍ୟାହୃତ ହୋଇଛି ।

Spread the love